କୃପାଜଳ ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ
1 min readଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିଳ୍ପ , କୌଶଳ ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାରେ ବୈଷୟିକ ଶିକ୍ଷାକ୍ଷେତ୍ରରେ କୃପାଜଳ ଇଞ୍ଜିନିୟରିଂ କଲେଜ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହିତ ନାକ୍ ଏ+ ଗ୍ରେଡ୍ ମାନ୍ୟତା ହାସଲ କରିଥିବାରୁ ମ୍ୟାନେଜମେଣ୍ଟ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ସହିତ ନବଚିନ୍ତନ, ଶିଷ୍ଟାଚାର ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। କଲେଜର ଚେୟାରମ୍ୟାନ ଡ. ଭବାନୀ ଚରଣ ରଥ ଅତିଥିମାନଙ୍କୁ କୃପାଜଳ ସମ୍ମାନରେ ସମ୍ମାନିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବେ ଅଧ୍ୟୟନ କରିବା ସହିତ କେବଳ ଚାକିରି ପଛରେ ନପଡ଼ି ନିଜେ ନିଜେ ଜଣେ ଉଦ୍ୟୋଗୀ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ। ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟତମ ନିର୍ଦ୍ଦେଶକ ଡ. ବିଭୂତି ଭୂଷଣ ରଥ ଧନ୍ୟବାଦ ଦେଇଥିଲେ। ଶେଷରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶଶାଙ୍କ ଶେଖର ଓ ସୁଜ୍ଞାନୀ ମହାପାତ୍ର ସଂଗୀତ ପରିବେଷଣ କରିଥିଲେ। ହାସ୍ୟ କଳାକାର ପ୍ରଜ୍ଞାନ ଖଟୁଆ ଓ ଜୁନିୟର ପାପୁ ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ।


