ଫ୍ରାନ୍ସର ଏଭିଆନରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
1 min read
ଏଭିଆନ: ଫ୍ରାନ୍ସର ଏଭିଆନରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଜି-୭ ବୈଠକ ଆରମ୍ଭ ହେବା ପୂର୍ବରୁ ଉଭୟ ନେତା ହାତ ମିଳାଇଥିଲେ ଏବଂ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ତେବେ ପୂର୍ବ ଭଳି ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରି ନଥିଲେ। ଆସନ୍ତାକାଲି ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା କରିବେ।
ଆର୍ଥିକ ବିକାଶ, ଯୋଗାଣ ଶୃଙ୍ଖଳା, ଏଆଇ, ବିନିଯୋଗ ସହଭାଗିତା ଏବଂ ବୈଶ୍ବିକ ନିରାପତ୍ତା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଅପରେସନ୍ ସିନ୍ଦୂରର ଐତିହାସିକ ସଫଳତା ପରେ ଦୁଇ ବିଶ୍ବ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଛି। ଆସନ୍ତାକାଲି ଦ୍ୱିପାକ୍ଷିକ ବୈଠକରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ଶୁଳ୍କ ହ୍ରାସ ଉପରେ ବିଶେଷ ଫୋକସ ରହିବ ବୋଲି ଜଣାପଡ଼ିଛି। ଆମେରିକାର ‘ଆମେରିକା ପ୍ରଥମ’ ନୀତି ଏବଂ ଭାରତର ଆର୍ଥିକ ସ୍ୱାର୍ଥକୁ ସନ୍ତୁଳିତ କରି ଏକ ନୂତନ ବାଣିଜ୍ୟିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଉଛି।


