ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଆମେରିକା ଗସ୍ତ
1 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାପାଇଁ ମୋଦୀ ଆମେରିକା ଯାଉଥିଲେ ମଧ୍ୟ ତାଙ୍କ ଏଜେଣ୍ଡାରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଡାର ପ୍ରଥମ କାର୍ଯ୍ୟକ୍ରମ ହେଉଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ହୋମ୍ଟାଉନ୍ ଡେଲୱାଡ଼େ ୱିଲମିଙ୍ଗଟନ୍ରେ ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ। ଷଷ୍ଠ କ୍ବାଡ୍ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବିଶ୍ବ ନେତାମାନେ ଏକାଠି ହେବେ ଏବଂ ବିଶ୍ବର ମଙ୍ଗଳ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଛି ବିଶେଷ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଆଲୋଚନା କରିବେ। ଏହି କ୍ବାଡ୍ ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଭାରତ ପରବର୍ତ୍ତୀ କ୍ବାଡ୍ ସମ୍ମିଳନୀ ଆୟୋଜନ କରିବାପାଇଁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଶେଷ କ୍ବାଡ୍ ସମ୍ମିଳନୀ ଜାପାନ୍ର ହିରୋସିମାରେ ହୋଇଥିଲା।