June 13, 2026

ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

1 min read

ରାଇରଙ୍ଗପୁର: ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତିରେ ବିଶାଳ ଜନସଭା ହେବ ା ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ଚାରି ପ୍ରକଳ୍ପ ଓ ଶିଳାନ୍ୟାସ ହେବ ଦୁଇ ପ୍ରକଳ୍ପ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ।

ଏହି ଅବସରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ ଓ ରାଇରଙ୍ଗପୁର ପୁଲିସ ଜିଲା ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେଷ୍ଟ ମ୍ୟାନେଜମେଣ୍ଟ, ଅନ୍ତର୍ଜାତୀୟ ମାନର ବ୍ୟାଡ଼ମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ଦିଆଯିବ। ଏଥିପାଇଁ ପ୍ରଶାସନ, ପୁଲିସ, ବିଭିନ୍ନ ବିଭାଗୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦାଣ୍ଡବୋଷ ବିମାନ ବନ୍ଦରରେ ହେଲିପ୍ୟାଡ୍ ଓ ଜନସଭା ମଞ୍ଚ, ଲୋକଙ୍କ ବସିବା ପାଇଁ ହ୍ୟାଙ୍ଗର ନିର୍ମାଣ ତଥା ଆନୁଷଙ୍ଗିକ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବିଜେପି ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ବିଜେପି ନେତୃମଣ୍ଡଳୀ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଧାୟକ ଜଲେନ ନାଏକ, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ, ସାଂସଦ ସଂଯୋଜକ ମନୋଜ ଦାସ, ମୁନା ପ୍ରତିହାରୀ ପ୍ରମୁଖ ରାଇରଙ୍ଗପୁର ସହର ଓ ପାହାଡ଼ପୁରରେ ପ୍ରସ୍ତୁତି ଚଳାଇଛନ୍ତି।