ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି
1 min read
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବେ। ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲା ଗସ୍ତରେ ଯିବେ ମହାମହିମ।
୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ। ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇଂ-ଜୋନ୍ ଓ ନୋ-ଡ୍ରୋନ-ଜୋନ୍’ ଘୋଷଣା କରାଯାଇଛି। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଏହି ମର୍ମରେ ନିର୍ଦେଶନାମା ଜାରି କରିଛନ୍ତି। ରାଷ୍ଟ୍ରପତି ଯିବାକୁ ଥିବା ସଡ଼କ ପଥ ସହ ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ଉଡ଼ାଣ, ରିମୋଟ୍ ନିୟନ୍ତ୍ରିତ ଡ୍ରୋନ୍ କିମ୍ବା କୌଣସି ବେଲୁନ୍ ଛଡ଼ା ଯାଇପାରିବ ନାହିଁ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ରେଳଷ୍ଟେସନ୍ ଓ ଆଖପାଖ ଅଞ୍ଚଳ, ଗୋସାଇଁ ନୂଆଗାଁ, ଅନ୍ଧପସରାରୋଡ୍, ହରିଡ଼ାଖଣ୍ଡି, ଦିଗପହଣ୍ଡିରୋଡ୍, ତପ୍ତପାଣି ମନ୍ଦିର ଓ ପାରିପାର୍ଶ୍ବିକ ଅଞ୍ଚଳ, ଆର୍ମି ଏଡି କଲେଜ ଏବଂ ଆଖପାଖ ଅଞ୍ଚଳରେ ୪ ଓ ୫ ତାରିଖ ଦୁଇ ଦିନ ଧରି ନୋ-ଫ୍ଲାଇ-ଜୋନ୍ ରହିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।
ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବନ୍ଦୋବସ୍ତ
ସୋମବାରଠାରୁ ୩ଦିନିଆ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ଲୁ-ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରବିବାର କମିସନରେଟ ପୁଲିସ ପକ୍ଷରୁ କାରକେଡ୍ ରିହରସାଲ ହୋଇଛି। ପୂର୍ବାହ୍ନରେ ଭୁବନେଶ୍ବର ବିମାନବନ୍ଦରରୁ ବାଙ୍କୀରେ ଥିବା କାର୍ଯ୍ୟସୂଚୀ ଓ ରେଳ ଷ୍ଟେସନ ପର୍ଯ୍ୟନ୍ତ କାରକେଡ୍ ରିହରସାଲ ହୋଇଥିଲା। ସେହିପରି ସୁରକ୍ଷା ଦାୟିତ୍ବରେ ୪୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ୭ଉପାୟୁକ୍ତ ପାହ୍ୟାର ଅଧିକାରୀ, ୧୦ ଅତିରିକ୍ତ ଉପାୟୁକ୍ତ, ୨୮ଜଣ ଏସିପି, ୪୦ ଇନ୍ସପେକ୍ଟର ଓ ୧୨୦ଜଣ ଏଏସ୍ଆଇ ଓ ଏସ୍ଆଇଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିସହ ଟ୍ରାଫିକ ବ୍ୟବସ୍ଥାକୁ ବି ସୁଦୃଢ଼ କରାଯାଇଛି। ରୁଟ୍ଲାଇନ୍ ସହ ଟ୍ରାଫିକ ଦାୟିତ୍ବରେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।


