ପୀତବାସ ପଣ୍ଡା ହତ୍ୟା,ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର
1 min read
ବ୍ରହ୍ମପୁର,୨।୨: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍ ଅଶାନ୍ତ କୁମାର ଦାସଙ୍କ କୋର୍ଟରେ ହାଜର ହୋଇଛନ୍ତି।
ପୂର୍ବରୁ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଏହି ମାମଲାର କମିଟିମେଣ୍ଟ ହୋଇ ମାମଲାଟି ଜିଲା କୋର୍ଟକୁ ଆସିଥିଲା । ସୋମବାର ସମସ୍ତ ଅଭିଯୁକ୍ତ ଜିଲା କୋର୍ଟରେ ହାଜର ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ସେହି କ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିକ୍ରମଙ୍କ ସମେତ ୧୪ ଅଭିଯୁକ୍ତ ଏବଂ ଫୁଲବାଣୀ ଜେଲରେ ଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା।
ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିଜେଡି ନେତା ମଦନ ଦଳାଇ ଅସୁସ୍ଥ ଥିବାରୁ କୋର୍ଟରେ ସେ ହାଜର ହୋଇ ପାରି ନ ଥିଲେ। ତେଣୁ ଆସନ୍ତା ୬ ତାରିଖରେ ପୁଣି ଥରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ଜିଲା ଜଜ୍ ଦିନ ଧାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୀତବାସଙ୍କୁ ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ଛକଠାରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ପୂର୍ବତନ ବିଧାୟକ ବିକ୍ରମ, ପୂର୍ବତନ ମେୟର ପିଣ୍ଟୁ, ବିଜେଡି ନେତା ମଦନ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟଚନ୍ଦ୍ର ଦାଶ, ସୁନୀଲ ହୋତା, ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, କୁନ୍ଦ କୁମାର, ଶିଶୁପାଳ କୁମାର ପାଶ୍ବାନ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, କାଳୁଚରଣ ଭୂୟାଁଙ୍କୁ ମିଶାଇ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା ।
ପୂର୍ବରୁ ଏହି ମାମଲାର ଅଭିଯୁକ୍ତମାନେ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇସାରିଛି । ଆଗାମୀ ଦିନରେ ଏଡିଜେ-୩ କୋର୍ଟରେ ଏହି ମାମଲାର ବିଚାର ହେବ ବୋଲି ଓକିଲ ପଟ୍ଟନାୟକ କହିଛନ୍ତି ।


