ସଫେଇ କର୍ମଚାରୀଙ୍କ ଉପରେ ମାଡିଗଲା ପିକ୍ଅପ୍
1 min read
ନୂଆଦିଲ୍ଲୀ : ନୁହ୍ ଜିଲା ଥାନା ଫିରୋଜପୁର ଝିରକା ସୀମା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେରେ ଶନିବାର ସକାଳେ ମର୍ମନ୍ତୁଦ, ହୃଦୟବିଦାରକ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ସଫେଇ କର୍ମଚାରୀଙ୍କ ମୃତଦେହ ଖଣ୍ଡ ବିଖଣ୍ଡ ହୋଇ ଯାଇଛି । ଇବ୍ରାହିମବାସ୍ ଗାଁ ନିକଟରେ ଦ୍ରୁତ ଗତିରେ ଥିବା ପିକ୍ଅପ୍ ଭ୍ୟାନ୍ ସଫେଇ କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା।
ପୂର୍ବାହ୍ନ ୧୦ଟା ସମୟରେ ହୋଇଥିବା ଏହି ଦୁର୍ଘଟଣାରେ ୧୦ ଜଣ କର୍ମଚାରୀ ଏକ୍ସପ୍ରେସୱେରେ ସଫେଇ କାର୍ଯ୍ୟ କରୁଥିଲେ । ହଠାତ୍ ଦ୍ରୁତ ଗତିରେ ଏକ ପିକ୍ଅପ୍ ଭ୍ୟାନ୍ ଆସି ଏମାନଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ମାତ୍ରେ ଖୁବ୍ ଜୋରରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ପ୍ରଥମେ ପୁଲିସକୁ ଖବର ଦେଇଥିଲେ । ଗୁରୁତର ଆହତଙ୍କୁ ହସ୍ପିଟାଲ ନେବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ମୃତକଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି । ପିକ୍ଅପ୍ ଚାଳକ ନାଁରେ ମାମଲା ରୁଜୁ ସହ ପୁଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।