October 9, 2026

ଡେରାବିଶରେ ବନ୍ଦ ଶାନ୍ତିପୂର୍ଣ୍ଣ

1 min read

ଡେରାବିଶ,୮/୧୦-ଇଣ୍ଡିଆ ମେଣ୍ଟର ଆହ୍ବାନ କ୍ରମେ ଗୁରୁବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଡେରାବିଶ ବ୍ଲକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବ୍ଲକ ଅଧିନସ୍ଥ ପ୍ରମୁଖ ବ୍ୟବସାୟ ସ୍ଥଳ ଚାନ୍ଦୋଳ ବଜାରରେ ପ୍ରାୟ ୮୦ ପ୍ରତିଶତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ପାଟକୁରା କଂଗ୍ରେସ ନେତା ଡ଼ ରତିକାନ୍ତ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ସୁଖଦାନନ୍ଦ ପ୍ରଧାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ଫାଣ୍ଡି ଛକ ଠାରେ ରାସ୍ତାରୋକ କରିଥିଲେ।ଏମ. ଏମ.ଡି.ଆର ଆଇନ ରଦ,ଜ୍ଞାନେଶ କୁମାରଙ୍କ ଇସ୍ତଫା, ଦରଦାମ୍ ବୃଦ୍ଧି, ବନ୍ୟା ବିପନ୍ନଙ୍କୁ ସହାୟତା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରମୁଖ ପ୍ରସଙ୍ଗ ଥିବା କଂଗ୍ରେସ ନେତା ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ। ପୂର୍ବାହ୍ନରେ କଂଗ୍ରେସ କର୍ମୀ ମାନେ ସ୍କୁଲ,କଲେଜ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ବନ୍ଦ କରାଉଥିବା ଦେଖିବାକୁ ମିଳିଥିଲା। କୌଳାସ ଚନ୍ଦ୍ର କର,କୃଷ୍ଣପ୍ରିୟା ବାରିକ, ରଶ୍ମିତା ମହାନ୍ତି, ସୁଧୀର ରାଉତ, ହରିହର ଜେନା ଓ ନିମାଇଁ ଯେନା ପ୍ରମୁଖ ସଂଗଠକ ମାନେ ଚାନ୍ଦୋଳ ଫାଣ୍ଡି ଛକ ରାସ୍ତାରୋକ ରେ ସାମିଲ ହୋଇଥିଲେ। ସେହିପରି ବ୍ଲକ ଅଧିନସ୍ଥ ଚଣ୍ଡିଖୋଲ- ପାରାଦ୍ଵୀପ ୫୩ ନଂ ଜାତୀୟ ରାଜପଥର ଛତା ଛକ ଠାରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ରାଜୀବ ଲୋଚନ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲା ଉପସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ,କୃଷକ ସେଲର ଜୟଦେବ ପରିଡ଼ା, ରଶ୍ମିରଞ୍ଜନ ପଣ୍ଡା ଓ ଅନନ୍ତ ପାତ୍ର ପ୍ରମୁଖ ସାମିଲ ହୋଇ ରାସ୍ତାରୋକ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାଦେଇ ପିକେଟି° କରିଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ସଦରଥାନା ଓ ଡେରାବିଶ ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।ବ୍ଲକ ଅଞ୍ଚଳରେ ବନ୍ଦ ପାଳନ ଡାକରା ଶାନ୍ତିପୂର୍ଣ୍ଣ ରହିଥିଲା।