July 27, 2024

ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପାଣ୍ଡିଆନଙ୍କ ପରାମର୍ଶ

1 min read

ବ୍ରହ୍ମପୁର: ସଫଳତା ପାଇଁ କଠିନ ପରିଶ୍ରମ ସହ ଗଭୀର ଆତ୍ମବିଶ୍ବାସ ଦରକାର ବୋଲି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଆମ୍ବପୁଆସ୍ଥିତ ବିବେକ ବିହାରଠାରେ ଆୟୋଜିତ ନୂଆ- ଓ କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କଲେଜଗୁଡ଼ିକର ରୂପାରନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ପାଠପଢ଼ା ସହ ସେମାନଙ୍କ ଠାରେ ରହିଥିବା ଲୁକ୍କାୟିତ ପ୍ରତିଭା ବିକାଶର ପ୍ରକୃଷ୍ଟ ମଞ୍ଚ ବୋଲି କହିଥିଲେ।୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚଲକ୍ଷ୍ୟ ରଖିବା ସହ ଗଞ୍ଜାମ ଜିଲ୍ଲାର କିଛି ପ୍ରତିଭାବାନ ବ୍ୟକ୍ତିତ୍ବଙ୍କ ନାମ ଉଲ୍ଲେଖ କରିଥିଲେ। ନ୍ୟୁୟର୍କସ୍ଥିତ କଗ୍‌ନିଜେଣ୍ଟ ଟେକ୍ନୋଲୋଜିସ୍‌ର ସିଇଓ ରବିକୁମାର ଏସ୍‌., ନାସାର ବୈଜ୍ଞାନିକ ଡ. କୈଳାସ ଚନ୍ଦ୍ର ସାହୁ, ତେଜସ୍‌ ଏୟାରକ୍ରାପ୍ଟର ଆର୍କିଟେକ୍ଟ କୋଟା ହରିନାରାୟଣ, ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌ର ବରିଷ୍ଠ ବୈଜ୍ଞାନିକ ନାଗଭୂଷଣ ଆଚାର୍ଯ୍ୟ, କମନ୍‌ୱେଲ୍‌ଥ ଗେମ୍ସରେ ସ୍ବର୍ଣ୍ଣପଦକ ବିଜେତା କେ. ରବିକୁମାର ଗଞ୍ଜାମ ମାଟିର ସନ୍ତାନ ବୋଲି ସେ କହିଥିଲେ। ଯଦି ଏମାନେ ସଫଳତା ହାସଲ କରିପାରିଛନ୍ତି ତେବେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚଲକ୍ଷ୍ୟ ହାସଲ କରିବାକୁ ସମର୍ଥ ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀଙ୍କୁ ଶାରୀରିକ ସୁସ୍ଥତା ଉପରେ ଧ୍ୟାନ ଦେବାକୁ ଗୁରୁତ୍ବ ଦେବା ସହ ପ୍ରତିଦିନ କିଛି ସମୟ ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଦେଇ ଜୀବନରେ ସଫଳତା ଅର୍ଜନ କରିବାକୁ କହିଥିଲେ। ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାର ୧୫୬ଟି କଲେଜର ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର ନିର୍ମାଣ ପାଇଁ ୯୨କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅଧିକାଂଶ କଲେଜରେ ରୂପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଖୁସି ପ୍ରକଟ କରିବା ସହ ଫେବ୍ରୁଆରି ସୁଦ୍ଧା ସମସ୍ତ କଲେଜର ରୂପାନ୍ତରୀକରଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *