ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୁଲିସ ମହଲରେ ଗଭୀର ଶୋକର ଛାୟା
1 min read
ଭୁବନେଶ୍ଵର:ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୁଲିସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଇପିଏସ ସଂଘର ସଭ୍ୟ/ ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି।ଏହି ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ଵରସ୍ଥିତ ପୁଲିସ ଭବନଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତଃ ସେଫିନ ଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତଃ ସେଫିନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।
ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ସ୍ଵର୍ଗତ ସେଫିନ ଅହମ୍ମଦ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୁଲିସର ମର୍ଯ୍ୟାଦା ତଥା ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୁଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ସ୍ଵର୍ଗତ ସଫିନ ଅହମ୍ମଦଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ସେ ସ୍ମରଣ କରିବା ସହ ତାଙ୍କର ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।


