ଶିଳ୍ପ ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତ କରୁଛି ଓଡ଼ିଶା
1 min read
ଭୁବନେଶ୍ୱର: ଗୁଜରାଟ ସରକାରଙ୍କ ଶ୍ରମ, କୌଶଳ ବିକାଶ ଓ ନିୟୋଜନ ବିଭାଗର ସଚିବ ଡକ୍ଟର ବିନୋଦ ଆର୍ ରାଓ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ସୋମବାର ଦିନ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଉପଯୋଗୀ ତାଲିମ ଦେବା ପାଇଁ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମ ରହିଛି। ତା’ସହ ହ୍ୟାଣ୍ଡ୍ସ ଅନ୍ ପ୍ରାକ୍ଟିସ୍ ସୁବିଧା ପାଇଁ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି। ଏହି ଗସ୍ତ ବେଳେ ଡକ୍ଟର ରାଓ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଲାବୋରେଟୋରି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବାରେ ଏହି କେନ୍ଦ୍ର ବିଶେଷ ସହାୟକ ହେଉଥିବା ଜାଣି ସେ ଖୁସି ହୋଇଥିଲେ।
‘‘ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ନେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତାକୁ ଆହୁରି ବ୍ୟାପକ କରିବାର ସୁଯୋଗ ପାଉଛନ୍ତି। ଫଳରେ ଆଗାମୀକାଲିର ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଦକ୍ଷ ଯୁବ ମାନବ ସମ୍ବଳ ପ୍ରସ୍ତୁତି ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ସଶକ୍ତ କରିବା ଲାଗି ରାଜ୍ୟ ସରକାରଙ୍କର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିଫଳିତ ହେଉଛି,’’ କହିଛନ୍ତି ସଚିବ ଡକ୍ଟର ବିନୋଦ ଆର୍ ରାଓ।