ଓଡ଼ିଆଙ୍କ ସ୍ୱାଭିମାନ : ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନ ବିବାଦ
1 min read
ଭୁବନେଶ୍ୱର: ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ।ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଓଡ଼ିଶାରେ ଉଚ୍ଚଶିକ୍ଷାର ମୂଳଦୁଆ ପକାଇଥିବା ରେଭେନ୍ସା ବିଶ୍ଵବିଦ୍ୟାଳୟ ସହ ପ୍ରତିଟି ଓଡ଼ିଆଙ୍କର ଏକ ଭାବଗତ ସମ୍ପର୍କ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଆଜି ଅସ୍ମିତାର ଚକ୍ରବ୍ୟୁହରେ ଫସି ଯାଇଛି ଏହି ଶିକ୍ଷାନୁଷ୍ଠାନର ନାଁ। ନାଁ ପରିବର୍ତ୍ତନକୁ ନେଇ ଆଜି ସାରା ରାଜ୍ୟରେ ବିରୋଧ ତେଜିବା ସହ ଆରମ୍ଭ ହୋଇଛି ରାଜନୀତି।୧୬୦ ବର୍ଷ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଉପନିବେଶବାଦ ଲିଗାସିରୁ ଓଡ଼ିଶାର ସଂସ୍କୃତିକୁ ମୁକ୍ତ କରିବାର ପ୍ରୟାସ ବୋଲି କହି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏଥିପାଇଁ ସେ ଏକ ଡିବେଟର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ। ଏପରିକି ବିଭିନ୍ନ ଛାତ୍ର ସଂଗଠନ ଓ ପ୍ରାକ୍ତନ ଛାତ୍ର ମଧ୍ୟ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।
ଓଡ଼ିଆ ଅସ୍ମିତା କଥା କହି ଓଡ଼ିଶାରେ କ୍ଷମତାକୁ ଆସିଥିବା ବିଜେପି ପୁଣି ଉଠାଇଛି ଅସ୍ମିତା କଥା। ଜଣେ ବ୍ରିଟିଶ ଅଫିସରଙ୍କ ନାଁରେ କାହିଁକି ଆମର ସଂସ୍କୃତି, ଐତିହ୍ୟ ଏବଂ ଭାବାବେଗ ସହ ଜଡିତ ଏକ ଶିକ୍ଷାନୁଷ୍ଠାନର ନାମକରଣ କରାଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଇତିହାସ କୁହେ, ୧୮୬୬ ନ’ ଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ହଜାର ହଜାର ଲୋକଙ୍କ ଜୀବନ ଚାଲିଗଲା। ଏତେ ବଡ଼ ବିପତ୍ତିକୁ ସେ ସମୟରେ ଠିକ ଭାବେ ପରିଚାଳନା କରି ପାରିନଥିଲେ ଥୋମସ ଏଡୱାର୍ଡ ରେଭେନ୍ସା। ଏହି କଳଙ୍କ ନିଜ ଉପରୁ ହଟାଇବା ଉଦ୍ଦେଶ୍ୟରେ ରେଭେନ୍ସା କଟକ ଜିଲ୍ଲା ସ୍କୁଲରେ ଓଡ଼ିଆ ବିଦ୍ୟାର୍ଥୀମାନଙ୍କୁ କଲେଜ ଶିକ୍ଷା ପ୍ରଦାନ କରାଇବା ଲାଗି ବ୍ୟବସ୍ଥା କରିଥିଲେ।
ଓଡ଼ିଶାରେ ପ୍ରଥମ କଲେଜ ଜନ୍ମ ନେଇଥିଲା ୧୮୬୮ ମସିହାରେ। ମାତ୍ର ୬ ଜଣ ଛାତ୍ରଙ୍କୁ ନେଇ ଇଣ୍ଟରମିଡିଏଟ ଖୋଲିଥିଲା। ପରେ ସେ ଏହାକୁ କଲେଜିଏଟ ସ୍କୁଲରୁ ଫୁଲ-ଫେଜଡ ଡିଗ୍ରୀ କଲେକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ସମୟରେ ବେଙ୍ଗଲ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ଏବଂ ଏଥିପାଇଁ ୩୦ ହଜାର ଟଙ୍କା ଜମା କରିବା ପାଇଁ ସର୍ତ୍ତ ରଖିଥିଲେ। ତତ୍କାଳୀନ ମୟୂରଭଞ୍ଜ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଏଥିପାଇଁ ୨୦ ହଜାର ଟଙ୍କାର ଆର୍ଥିକ ସହଯୋଗ କରିଥିଲେ। ଶେଷରେ ୧୮୭୮ ମସିହାରେ ଏହା ଏକ ଫୁଲ ଫେଜଡ ସରକାରୀ ଡିଗ୍ରୀ କଲେଜର ମାନ୍ୟତା ପାଇଥିଲା। ସେତେବେଳେ କଲେଜରେ ଥିଲେ ମାତ୍ର ୧୯ ଜଣ ଛାତ୍ର ଏବଂ ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ସାମୁଏଲ ଅଗର। ଯାହା ବି ହେଉ ଓଡ଼ିଆଙ୍କ ସ୍ୱାଭିମାନ ସହ ସଂପୃକ୍ତ ଏଡଇ ଶିକ୍ଷାନୁଷ୍ଠାନରୁ ବିଦେଶୀଙ୍କ ନାଁ ହଟାଇବା ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ଏହାର ନିର୍ମାଣରେ ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଓ କନିକା ରାଜାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବାରୁ ସେମାନଙ୍କୁ ଏବେ ସମ୍ମାନ ଦେବାର ସମୟ ଆସିଛି ବୋଲି କହିଛି ବିଜେପି।
ନାଁ ପରିବର୍ତ୍ତନ ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଏହାକୁ ନେଇ ବିରୋଧର ସମ୍ମୁଖୀନ ହେଉଛନ୍ତି
ରାଜ୍ୟ ସରକାର। ବିଜେପି ସରକାରରେ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପରେ ତାଙ୍କ ଉପରେ ବିଭିନ୍ନ ଚାପ ରହିଆସୁଛି।ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ରାଜ୍ୟ ସରକାରଙ୍କ ଅଡ଼ୁଆ ବଢ଼ିଛି। ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ରେଭେନ୍ସା ବିଶ୍ଵବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ଉଚିତ କି ନୁହେଁ ରାଜ୍ୟବାସୀଙ୍କ ଆଗରେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।