February 10, 2025

ଆଉ ହେବନି ବସ୍‌ ଧର୍ମଘଟ

1 min read

ଭୁବନେଶ୍ୱର: ଆଉ ହେବନି ବସ୍‌ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍‌ ମାଲିକ ସଂଘ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ସଂଘ। ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା। ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ପରିବହନ ମନ୍ତ୍ରୀଙ୍କ ବାସଭବନରେ ବିସିଥିଲା। ମାନସ ମନ୍ଥନ ପରେ ଏହା ପ୍ରତ୍ୟହୃତ ହୋଇଛି।

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଅଧିକ ବସ୍‌ ଯାତ୍ରା କରିଥାନ୍ତି। ହେଲେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରୁ ୨୪ ଘଣ୍ଟିଆ ବସ୍‌ ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ର ଟାୟାର-୨ ସେବା ଅର୍ଥାତ୍‌ ବ୍ଲକ୍‌ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳକୁ ପ୍ରତିବାଦ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ ଜିଲାର ଘରୋଇ ବସ୍‌ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିଲେ। ଏନେଇ ସରକାର ସୋମବାର ଆଲୋଚନା ପାଇଁ ଘରୋଇ ମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକିଥିଲେ। ଆଲୋଚନା ବିଫଳ ହେଲେ ଯାତ୍ରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚିନ୍ତା ଥିଲା।