July 27, 2024

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି |ସେ ବୁଧବାର ଦିନ ୧୧ଟା ୩୫ ମିନିଟ ସମୟରେ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ପରେ ନବୀନ ନିବାସକୁ ଫେରିଛନ୍ତି।

ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇବା ଓଡ଼ିଶାରେ ପଦ୍ମର ସୁଅ ବହିଛି।

ସେହିଭଳି ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ବିଜେପି ୧୯ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏ ସିଟ୍‌ ଜିତିଛନ୍ତି। ୨୦୧୯ ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୧ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମ୍ନା କରିଛି ବିଜେଡି। ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ ନିର୍ବାଚନରେ ମାତ୍ର ୫୧ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଏହାସହ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଛି। ୭୮ ଆସନରେ ବିଜୟ ସହ ବିଜେପି ବହୁମତ ପାଇଥିବା ବେଳେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ୨୦୨୪ ମସିହାରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

Leave a Reply

Your email address will not be published. Required fields are marked *