November 4, 2024

ଆଧାରରେ ମୋବାଇଲ୍ ଲିଙ୍କ ଜରୁରୀ ନୁହେଁ,୩ ଜିଲ୍ଲାପାଳଙ୍କ ଘୋଷଣା

1 min read

ଭୁବନେଶ୍ଵର: ଆଧାରରେ ମୋବାଇଲ୍ ଲିଙ୍କ ଜରୁରୀ ନୁହେଁ। ଏନେଇ ୩ ଜିଲ୍ଲାର ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆଧାର ବାୟୋମେଟ୍ରିକ ଦ୍ଵାରା ଚିହ୍ନଟ ଗ୍ରହଣ ହେବ । ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମାନେ ଏହି ସୂଚନା ଦେଇଛନ୍ତି ।

ସୁଭଦ୍ରା ଯୋଜନାରେ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ନିମନ୍ତେ ବିଭିନ୍ନ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମହିଳାଙ୍କ ଭିଡ଼ ଲାଗି ରହୁଛି। ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ। ଆଧାର କାର୍ଡରେ ମୋବାଇଲ ଲିଙ୍କ ନ ହେଉଥିଲେ ସୁଦ୍ଧା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ବାୟୋମେଟ୍ରିକ, ଫେସ ଓ ଆଇରିସ ଜରିଆରେ ଅଥେଣ୍ଟିକେସନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜିଲ୍ଲାରେ ୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଫର୍ମ ପ୍ରଦାନ କରାଯାଇଛି। ଅନଲାଇନରେ ଫର୍ମ ଆବେଦନ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ତେଣୁ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି। ସେହିପରି ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ମିଳୁଥିବାବେଳେ ଏହା ମାଗଣା ସେବା। ଆଧାର ସହ ମୋବାଇଲ ଲିଙ୍କ ବାଧ୍ୟତାମୂଳକ ନୁହେଁ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି | ସେହି ସମାନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

କୋରାପୁଟ ଜିଲ୍ଲାରେ ପ୍ରତ୍ୟେକ ବ୍ଳକ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ଆସନ୍ତା ଦିନରେ ପର୍ଯ୍ୟାୟ କ୍ରମେ ଜିଲ୍ଲାର ରାଜସ୍ବ ଗ୍ରାମ ମାନଙ୍କରେ ସୁଭଦ୍ରା ଯୋଜନା ପଞ୍ଜିକରଣ ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *