October 8, 2026

ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ନାନା ପାଟେକରଙ୍କର ଗୁରୁବାର ଭୋର୍ ସମୟରେ ହୃଦ୍‌ଘାତରେ ପରଲୋକ

1 min read

ପୁଣେ: ବଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ନାନା ପାଟେକରଙ୍କର ଗୁରୁବାର ଭୋର୍ ସମୟରେ ହୃଦ୍‌ଘାତରେ ପରଲୋକ ଘଟିଛି । ତାଙ୍କର ଏହି ଦୁଃଖଦ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ସମଗ୍ର ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା । ନିଖୁଣ ତଥା ଜୀବନ୍ତ ଅଭିନୟ ପାଇଁ ନାନା ଯେମିତି ଲୋକପ୍ରିୟ ଥିଲେ, ନିଜ ସାଦାସିଧା ଚଳଣି, ନିରାଡ଼ମ୍ବର ଜୀବନ ଶୈଳୀ ପାଇଁ ମଧ୍ୟ ସେ ବେଶ୍ ପରିଚିତ ଥିଲେ । ଏତେବଡ଼ ଅଭିନେତା ହୋଇ ମଧ୍ୟ ସେ ମହାନଗରୀ ମୁମ୍ବାଇରେ ନ ରହି ପୁଣେ ଅଂଚଳରେ ଥିବା ଏକ ଗ୍ରାମରେ ଆଶ୍ରମ ସଦୃଶ ଏକ ଫାର୍ମହାଉସ୍ କରି ସେଠାରେ ଅବସ୍ଥାନ କରୁଥିଲେ । ତାଙ୍କ ମୃତ୍ୟୁ ପରେ ଦେଶର ବହୁ ନାଁ କରା ନେତା ଅଭିନେତା ବୁଦ୍ଧିଜୀବୀ ଶୋକପ୍ରକାଶ କରୁଛନ୍ତି । ତେବେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଜଣାଶୁଣା ଫଟୋଗ୍ରାଫର ଅତୁଲ କାସ୍‌ବେକର ଯାହା ଉଲ୍ଲେଖ କରିଛନ୍ତି, ତାହା ଶୁଣି ଅନେକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । କାସ୍‌ବେକର ନିଜ ପୋଷ୍ଟରେ ଯାହା ଉଲ୍ଲେଖ କରିଛନ୍ତି, ତାର ଶାରମର୍ମ ହେଲା, ନିଜ ମୃତ୍ୟୁ ଯେକୌଣସି ମୁହୂର୍ତରେ ଆସିପାରେ ବୋଲି ବୋଧହୁଏ ନାନା ଆଗୁଆ ଜାଣିଥିଲେ । ସେଥିପାଇଁ ମୃତ୍ୟୁ ପୂର୍ବରୁ ନିଜ ଚିତା ପାଇଁ ନିଜେ କାଠ ଯୋଗାଡ଼ କରି, ତାକୁ ଶୁଖାଇ ରଖିଥିଲେ ।
କାସ୍‌ବେକରଙ୍କ କହିବା କଥା ହେଲା କିଛିଦିନ ତଳେ କୌଣସି ଏକ କାର୍ଯ୍ୟକ୍ରମର ଫଟୋସୁଟ୍ ପାଇଁ ସେ ନାନାଙ୍କ ପାଖକୁ ଯାଇଥିଲେ । ଯେହେତୁ ନାନାଙ୍କ ସହ ତାଙ୍କର ପୁରୁଣା ଦିନର ସଂପର୍କ, ତେଣୁ ବନ୍ଧୁ ଭବେ ସେ ତାଙ୍କୁ ଯଥେଷ୍ଟ ଅଭ୍ୟର୍ଥନା ଦେଇଥିଲେ । ଏମିତି କି ପ୍ରତ୍ୟେକ କ୍ର‌୍ୟୁ ମେମ୍ବରଙ୍କୁ ସେ ନିଜ ଡାଇନିଂ ହଲ୍‌ରେ ବସାଇ ନିଜ ହାତରେ ଖାଦ୍ୟ ପରଷି ଦେଇଥିଲେ । ତା ପରେ ଫାର୍ମ ଭିତରେ ଏକ କାଠ ଗଦାକୁ ଦେଖାଇ ନାନା କହିଥିଲେ, ଏ କାଠକୁ ସେ ନିଜେ ଶୁଖାଇ ଯତ୍ନର ସହ ରଖିଛନ୍ତି, ଯେଉଁଥିରେ ତାଙ୍କ ନିଜ ଚିତା ଜଳିବ । ନାନା ଆହୁରି କୁଆଡେ କହିଥିଲେ, ସେ ଅନେକଙ୍କ ଅନ୍ତ୍ୟେଷ୍ଟୀକ୍ରିୟାକୁ ଯାଇଛନ୍ତି । କାଠଗୁଡିକ ଠିକ୍ ଭାବେ ଶୁଖି ନ ଥିବାରୁ ଜଳିଲେ ସେଥିରୁ ଧୂଆଁ ବାହାରେ । ଅନ୍ତ୍ୟେଷ୍ଟୀକ୍ରିୟାରେ ଯୋଗ ଦେଇଥିବାଲୋକେ ସେଇ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡନ୍ତି । କାଠ ଶୁଖିଲା ଥିଲେ, ତାହା ଭଲ ଜଳିବ, ଧୂଆଁ ବାହାରିବନି । ତାଙ୍କ ଅନ୍ତ୍ୟେଷ୍ଟୀକ୍ରିୟାକୁ ଆସିଥିବା ଅତିଥିମାନଙ୍କ ଆଖିରୁ ପାଣି ବାହାରିବନି । ସେଥିପାଇଁ ସେ ଏ କାଠକୁ ଯତ୍ନରେ ସଜାଇ ରଖିଛନ୍ତି । ଏକଥା କହି ସେଦିନ ନାନା କିପରି ଏକ ରହସ୍ୟମୟ ହସ ହସିଥିଲେ ।
ଏପରି ଜଣେ ମଣିଷ ଥିଲେ ନାନା ପାଟେକର ଯିଏ ନିଜ ମୃତ୍ୟୁ ପରେ ତାଙ୍କୁ ଭଲ ପାଉଥିବା ଲୋକେ କିଭଳି ଅସୁବିଧା ନ ଭୋଗନ୍ତୁ, ସେ ଚିନ୍ତା କରୁଥିଲେ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କସ୍‌ବେକର ।