July 27, 2024

କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା, ଖଡିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

1 min read

ଭୁବନେଶ୍ବର, ୬.୫ କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା ଓ ଖଡିଆଳରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଡବଲ ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି।ଭବାନୀପାଟଣା ସଭା ପରେ, ବିମାନରେ ଖଡିଆଳ ଗସ୍ତ କରୁଥିବାବେଳେ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ବିଜେପି ନେତୃମଣ୍ଡଳୀ ତାଙ୍କ ନିର୍ବାଚନୀ ଅଭିଭାଷଣରେ କହିଛନ୍ତି ଯେ ଓଡିଶାରେ ଜୁନ୍‌ ୧୦ ତାରିଖରେ ବିଜେପି ଦଳ ସରକାର ଗଢିବ। ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁ ଦିନ ହେଲା ବି.ଜେ.ପି ଦିନରେ ସ୍ବପ୍ନ ଦେଖୁଛି ।ଭବାନୀପାଟଣା ଓ ଖଡିଆଳରେ ମୁଖ୍ୟମନ୍ତ୍ରୀ ତାଙ୍କର ଚିରାଚରିତ ନିରାଡମ୍ବର ଶୈଳୀରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ି ରାଜ୍ୟରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସଂପର୍କରେ ଲୋକଙ୍କ ମତାମତ ଲୋଡିଥିଲେ। ଉପସ୍ଥିତ ଜନତାଙ୍କ ସମବେତ ‘ହଁ’ ଧ୍ବନିରେ ପ୍ରତିଧ୍ୱନିତ ହୋଇଥିଲା ସଭାସ୍ଥଳ। ମମତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ନୂଆ-ଓ ଛାତ୍ରବୃତ୍ତି, କାଳିଆ, 5T ସ୍କୁଲ ରୂପାନ୍ତର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ – ଆଦି ସବୁ ଯୋଜନା ସଂପର୍କରେ ଜନତା ଅତି ଉତ୍ସାହର ସହ ସମ୍ମତି ଦେଇଥିଲେ।ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ିଲେ ମୁଖ୍ୟମନ୍ତ୍ରୀଯୋଜନାର ସୁଫଳ ସଂପର୍କରେ ଲୋକଙ୍କ ମତାମତ ମାଗିଲା ବେଳେ ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ|

ବିରୋଧୀ ଦଳର ବଡ ବଡ ପ୍ରତିଶୃତି ଉପରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ମିଛ କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନଙ୍କର ଓଡିଶା ପ୍ରତି ବା ଓଡିଶାବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ନିର୍ବାଚନ ସମୟରେ ତାଙ୍କର ଓଡିଶା କଥା ମନେ ପଡେ।ଉଭୟ ବିଧାନସଭା ଓ ଲୋକସଭା ପାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ।ସଭାରେ ଯୋଗ ଦେଇ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯାହାକୁ ଚାହିଁବେ, ସିଏ ତାଙ୍କର ସେବା କରିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ତେଣୁ ସେ ତାଙ୍କର ସେବା କରୁଛନ୍ତି ଓ କରିଚାଲିବେ। ଆପଣମାନଙ୍କ ସହଯୋଗରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ। ଓଡ଼ିଶା ନୂଆ ଇତିହାସ ସୃଷ୍ଟି କରିବ। ଏହାପରେ ସେ କହିଥିଲେ ଯେ ଜୁନ ୯ ତାରିଖରେ ବିଜୁ ଜନତା ଦଳର ସରକାର ଶପଥ ଗ୍ରହଣ କରିବ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ସେ କହିଲେ ଯେ ଓଡିଶାରେ ୨୪ ବର୍ଷ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି। ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କୁ ନେଇ ବିଜେପି ନେତା ମାନଙ୍କୁ ପ୍ରଶ୍ନ କରିଥିଲେ | ବିଜେପି ନିର୍ବାଚନ ଇସ୍ତାହାର ଉପରେ ମନ୍ତବ୍ୟ ଦେଇ ସେ କହିଲେ ଯେ ଏଥିରେ ସେଭଳି ଗୁରୁତ୍ବପୂର୍ଣ୍ଣ କିଛି ନାହିଁ। ସେମାନଙ୍କ ଇସ୍ତାହାର ଅନୁଯାୟୀ ଚାଲିଲେ ଓଡିଶା ୨୦ ବର୍ଷ ପଛକୁ ଚାଲିଯିବ। ଉଦାହରଣ ଦେଇ ସେ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯେଉଁଠି ବି ଚାଲିଥିଲା ସେଠାରେ ଶାସନ ଭୁଷୁଡ଼ି ପଡ଼ିଛି। ତାଙ୍କର ତେଲ ସରିଗଲା ପରେ ଗାଡ଼ି ବନ୍ଦ ହୋଇଗଲା। ନବୀନ ଇଞ୍ଜିନ କେବେ ବି ବନ୍ଦ ହୋଇନାହିଁ କି ହେବନାହିଁ ।

ବି.ଏସ୍‍.କେ.ୱାଇ ଯୋଜନା ଉପରେ ମତାମତ ରଖି ସେ କହିଲେ ଯେ ଏହି କାର୍ଡ଼ ହେଉଛି ଏଟିଏମ୍‍ କାର୍ଡ଼ ପରି। ଏଥିରେ ଆପଣ ଆରାମ ରେ କ୍ୟାସଲେସ୍‌ ସେବା ପାଉଛନ୍ତି। ଚିନ୍ତା ନାହିଁ କି ଦକ ନାହିଁ। କିନ୍ତୁ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଇନସ୍ୟୁରାନ୍‍ସ କମ୍ପାନୀଦ୍ୱାରା କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ଭାଗ ବର୍ଷକୁ ମାତ୍ର ୩୦୦ କୋଟି। କିନ୍ତୁ ବି.ଏସ୍‍.କେ.ୱାଇ ରେ ଆମେ ସେତିକି ଟଙ୍କା ଗୋଟିଏ ମାସରେ ଲୋକଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରୁଛୁ। ତାପରେ ସେ କହିଥିଲେ ଯେ ବିଜେପି କହିଛି ନିର୍ବାଚନରେ ଜିତିଲେ ୧୦୦ ଦିନ ମଧ୍ୟରେ ବି.ଏସ୍‍.କେ.ୱାଇ ବନ୍ଦ କରିଦେବ, ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ କେହି ସ୍ୱପ୍ନରେ ଏହାକୁ ବନ୍ଦ କରିପାରିବେ ନାହିଁ ।

କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ କହିଥିଲେ ଯେ ବିଜେପି ଦଳ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ସବୁ ଇସ୍ତାହାରରେ କହନ୍ତି, କିନ୍ତୁ କେବେ କରନ୍ତି ନାହିଁ । ବିଦେଶରୁ କଳା ଧନ ଆଣିବା କଥା ଆଉ କହୁ ନାହାନ୍ତି। ଗରିବଙ୍କ ଆକାଉଣ୍ଟରେ ୧୫ ଲକ୍ଷ ତ ଦୁରର କଥା, ୧୫ ପଇସା ବି ଜମା ହୋଇନାହିଁ । କିନ୍ତୁ ନବୀନ ପଟ୍ଟନାୟକ ତାଙ୍କ ବିକାଶ ଯାତ୍ରାରେ କାହାକୁ ବି ଅଣଦେଖା କରିନାହାନ୍ତି କି ଛାଡି ନାହାନ୍ତି । ଆଜି କଳାହାଣ୍ଡିରେ ଯେତିକି ବି ବିକାଶ ହୋଇଛି, ନବୀନ ପଟ୍ଟନାୟଙ୍କ ଯୋଗୁ ସମ୍ଭବ ହୋଇଛି । ଭବାନୀପାଟଣାରେ ବିଧାୟକ ପ୍ରାର୍ଥୀ ଲଳିତା ନାୟକ, ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ ବିଧାୟକ ପ୍ରାର୍ଥୀ ଦିବ୍ୟଶଂକର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ଏବଂ ନର୍ଲା ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ସମେତ ଖଡିଆଳ ସଭାରେ ନୂଆପଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏବଂ ଖଡିଆଳ ବିଧାନସଭା ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *