June 7, 2025

ଜିନ୍ଦଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

1 min read

ଯୋଡ଼ା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର (ଜେଏସପି) ପକ୍ଷରୁ ବୈଶ୍ୱିକ ଆହ୍ୱାନ “ବିଟ୍ ଦ ପ୍ଲାଷ୍ଟିକ ପଲ୍ୟୁସନ” ଆଧାରରେ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନ୍ସା ମାଇନ୍ସରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ବ୍ୟାପକ ବୃକ୍ଷରୋପଣ ସମେତ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଜେଏସପି ଅଧ୍ୟକ୍ଷ ତଥା କୁରୁକ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚିତ ସାଂସଦ ନବୀନ ଜିନ୍ଦଲ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, “ପ୍ଲାଷ୍ଟିକ ପ୍ରଦୂଷଣର ଦୀର୍ଘମିଆଦୀ ପ୍ରଭାବ ରହିଛି। ଏହା ବହୁ ପରିମାଣରେ ଆମ ପରିବେଶକୁ ପ୍ରଭାବିତ କରିଥାଏ। ଏହାର ଉତ୍ପାଦନ ଓ ଏହି ଆବର୍ଜନା ଅଙ୍ଗାରକାମ୍ଳ ନିର୍ଗମନକୁ ବୃଦ୍ଧି କରିଥାଏ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା, ପୁନଃବ୍ୟବହାରଯୋଗ୍ୟ ବିକଳ୍ପକୁ ଗ୍ରହଣ କରିବା ସହ ଚିରନ୍ତନ ବିକଳ୍ପକୁ ପ୍ରୋତ୍ସାହିତ କରିବା ଦ୍ୱାରା ଆମେ ଏକ ସାର୍ଥକ ପରିବର୍ତ୍ତନ ଆଣିପାରିବା”।

ବଡ଼ବିଲ ପେଲେଟ ପ୍ଲାଣ୍ଟ ପରିସରରେ ୟୁନିଟ ହେଡ୍ପୁ ରୁଷୋତ୍ତମ ଏମଡିଙ୍କ ନେତୃତ୍ୱରେ ମିନି ମାରାଥନ ଓ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସକ୍ରିୟ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ସେହିପରି କାଶିଆ ମାଇନ୍ସରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶପଥ ଉତ୍ସବ, ପଥପ୍ରାନ୍ତ ନାଟକ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁନିଟ ହେଡ୍ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଆଲି ଫରେଷ୍ଟର ଶରତ ପଟ୍ଟନାୟକ ଓ ବଡ଼ବିଲ ଫରେଷ୍ଟର ଆଶୁତୋଷ ଚକ୍ରବର୍ତ୍ତୀ ଯୋଗଦେଇଥିଲେ। ଏଥିରେ ଅନ୍ୟ କର୍ମଚାରୀ ଓ ପରିବାର ସଦସ୍ୟ ସାମିଲ ହୋଇଥିଲେ।

ଟେନ୍ସା ମାଇନ୍ସରେ ୟୁନିଟ ହେଡ୍ ରଘୁରାଜ ରଘୁବଂଶୀଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା। ବୃକ୍ଷରୋପଣ, ଶପଥ ଉତ୍ସବ, ସଫେଇ କାର୍ଯ୍ୟକ୍ରମ ଓ ସଚେତନତା ସୃଷ୍ଟି ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରସୁଆଁ ଫରେଷ୍ଟ ରେଞ୍ଜର ଧରଣୀଧର ସାହୁ, ଅନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇଥିଲେ।

ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଏ ସମସ୍ତ କାର୍ଯ୍ୟକ୍ରମ ପରିବେଶ ପରିଚାଳନା ବିଭାଗ (ଇଏମଡି)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।

ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନ୍ସା ଖଣି ପାରିପାର୍ଶ୍ୱିକ ଅଞ୍ଚଳରେ ଜେଏସିପର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଫଳ ଚାରା ରୋପଣ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଗ୍ରାମବାସୀଙ୍କୁ ପୁନର୍ବ୍ୟବହାରଯୋଗ୍ୟ ସୁତା କପଡ଼ା ବ୍ୟାଗ ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ପେଲେଟ ପ୍ଲାଣ୍ଟ ପରିସରରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ସମ୍ପର୍କିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।