ମାନବିକତାର ପରିଚୟ ଦେଲା ଯାଜପୁର ରୋଡ ପୋଲିସ
1 min read
ଯାଜପୁର ରୋଡ,୨୦/୦୬: ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷାରେ ସୀମିତ ନୁହେଁ, ବରଂ ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ମଧ୍ୟ ପ୍ରଦାନ କରୁଛି। ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ରୋଡ ଅଞ୍ଚଳରେ।
କୁସୁନପୁର ଗଣ୍ଡା ନାଳ ଉପରେ ଥିବା ରାସ୍ତା କଡ଼ରେ ଜଣେ ବୃଦ୍ଧ ବ୍ୟକ୍ତି ଅଧିକ ନିଶାଦ୍ରବ୍ୟ ସେବନ କରି ଅଚେତନ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଯାଜପୁର ରୋଡ ଥାନାର ଆଇଆଇସି ଆଶିଷ କୁମାର ସାହୁଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲେ। ଫୋନ୍ ପାଇବା ମାତ୍ରେ ଆଇଆଇସି ପୋଲିସ ଟିମ୍କୁ ଘଟଣାସ୍ଥଳକୁ ପଠାଇବା ସହ “ଦୁଇ ମିନିଟ୍ ମଧ୍ୟରେ ପୋଲିସ ପହଞ୍ଚିବ” ବୋଲି ଆଶ୍ୱାସନ ଦେଇଥିଲେ।
ଆଶ୍ଚର୍ଯ୍ୟର ବିଷୟ, ଫୋନ୍ କାଟିବାର କିଛି ସମୟ ପରେ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୋଲିସ କର୍ମଚାରୀମାନେ ବୃଦ୍ଧ ବ୍ୟକ୍ତିଙ୍କୁ ପାଣି ପିଆଇ ସଚେତନ କରିବା ସହ ତାଙ୍କର ସୁରକ୍ଷିତ ଭାବେ ଘରକୁ ଫେରିବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ।
ପୋଲିସର ଏଭଳି ତ୍ୱରିତ ଓ ମାନବିକ ପଦକ୍ଷେପକୁ ଦେଖି ପଥଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ଯାଜପୁର ରୋଡ ପୋଲିସ ଏବଂ ଆଇଆଇସି ଆଶିଷ କୁମାର ସାହୁଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ପୋଲିସର ଏପରି ଜନସେବାମୂଳକ କାର୍ଯ୍ୟ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଓ ଭରସାକୁ ଆହୁରି ଦୃଢ଼ କରିଛି।


