September 4, 2026

୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି।

1 min read

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଆୟୋଗ ମେ-ଜୁନ ୨୦୨୭ ସୁଦ୍ଧା ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିପାରନ୍ତି। ଏହି ସମୟରେ ଦେଶବ୍ୟାପୀ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ସଂଗଠନଗୁଡ଼ିକ କ୍ରମାଗତ ଭାବେ ଦରମା ଓ ପେନସନ ବୃଦ୍ଧି ନେଇ ଆୟୋଗଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରୁଛନ୍ତି। କର୍ମଚାରୀ ୟୁନିଅନଗୁଡ଼ିକର ସବୁଠାରୁ ବଡ଼ ଦାବି ମଧ୍ୟରୁ ଗୋଟିଏ ହେଉଛି ବେସାମରିକ (ସିଭିଲିଆନ) କର୍ମଚାରୀଙ୍କ ପାଇଁ ‘ୱାନ ରାଙ୍କ ୱାନ ପେନସନ’ (OROP) ଲାଗୁ କରିବା।

ବର୍ତ୍ତମାନ ‘ୱାନ ରାଙ୍କ ୱାନ ପେନସନ’ ବ୍ୟବସ୍ଥା କେବଳ ଭାରତୀୟ ସେନା (Armed Forces) ପାଇଁ ଲାଗୁ ରହିଛି। ବେସାମରିକ (ଅଣ-ସାମରିକ) କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା ନାହିଁ। କର୍ମଚାରୀ ୟୁନିଅନଗୁଡ଼ିକର କହିବା କଥା ହେଉଛି ଯେ ଗୋଟିଏ ପଦବୀ (Rank) ଏବଂ ସମାନ ବର୍ଷ ଧରି ସେବା ପ୍ରଦାନ କରିଥିବା ଦୁଇଜଣ କର୍ମଚାରୀଙ୍କ ପେନସନରେ କେବଳ ସେମାନଙ୍କ ଅବସର ବର୍ଷ ଭିନ୍ନ ହୋଇଥିବା କାରଣରୁ ବଡ଼ ପାର୍ଥକ୍ୟ ଦେଖାଦେଉଛି।

ଗୋଟିଏ ଉଦାହରଣ ମାଧ୍ୟମରେ ଏହାକୁ ବୁଝିବା। ଧରିନିଅନ୍ତୁ, ଲେଭଲ-୬ର ଜଣେ କର୍ମଚାରୀ ୨୦୧୬ (୭ମ ବେତନ ଆୟୋଗ) ରେ ଅବସର ନେଇଥିଲେ। ତାଙ୍କୁ ପ୍ରାୟ ୨୪,୫୦୦ ଟଙ୍କା ମୂଳ ପେନସନ ଏବଂ ମହଙ୍ଗା ସହାୟତା (DR) ମିଶାଇ ପ୍ରତି ମାସରେ ପ୍ରାୟ ୩୮,୭୧୦ ଟଙ୍କା ମିଳୁଛି।

ସେହିପରି ସମାନ ପଦବୀ (ଲେଭଲ-୬) ରେ ସମାନ ସେବା ଦେଇଥିବା ଅନ୍ୟ ଜଣେ କର୍ମଚାରୀ ଯଦି ୨୦୨୬ ରେ ୮ମ ବେତନ ଆୟୋଗ ଅଧୀନରେ ଅବସର ଗ୍ରହଣ କରନ୍ତି, ତେବେ ତାଙ୍କ ପେନସନ ପୁରୁଣା ପେନସନଭୋଗୀଙ୍କ ତୁଳନାରେ ଯଥେଷ୍ଟ ଅଧିକ ହେବ। ଏହି ଅସମାନତାକୁ ଦୂର କରିବା ପାଇଁ ବେସାମରିକ କର୍ମଚାରୀମାନେ ମଧ୍ୟ OROP ଢାଞ୍ଚାରେ ପେନସନରେ ସମାନତା ଦାବି କରୁଛନ୍ତି, ଯେପରି ଅବସର ତାରିଖ ଯାହା ବି ହେଉନା କାହିଁକି, ସମାନ ପଦବୀର କର୍ମଚାରୀଙ୍କ ପେନସନ ସମାନ ରହିବ।

ନ୍ୟାସନାଲ କାଉନସିଲ ଅଫ ଜଏଣ୍ଟ କନସଲଟେଟିଭ ମେସିନାରୀ (NCJCM) ୮ମ ବେତନ ଆୟୋଗ ସମ୍ମୁଖରେ ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିବାକୁ ପ୍ରସ୍ତାବ ରଖିଛି। ଏହା ସହିତ ପ୍ରତି ୧୦ ବର୍ଷ ବଦଳରେ ପ୍ରତି ୫ ବର୍ଷରେ ବେତନ ଓ ପେନସନ ସଂଶୋଧନ କରିବାକୁ ଦାବି କରିଛି। ଯଦି ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୁଏ, ତେବେ ୨୦୨୬ ରେ ଅବସର ନେଉଥିବା ଲେଭଲ-୬ କର୍ମଚାରୀଙ୍କ ପେନସନ ବୃଦ୍ଧି ପାଇ ପ୍ରାୟ ୯୩,୯୦୦ ଟଙ୍କାରେ ପହଞ୍ଚିପାରେ।

ଯଦି ପ୍ରି-୨୦୨୬ (ପୂର୍ୱରୁ ଅବସର ନେଇଥିବା) କର୍ମଚାରୀଙ୍କ ପେନସନର ନୋସନାଲ ଫିକ୍ସେସନ (Notional Fixation) କରାନଯାଏ, ତେବେ ୨୦୧୬ ରେ ଅବସର ନେଇଥିବା କର୍ମଚାରୀଙ୍କ ପେନସନ ୩୮,୭୧୦ ଟଙ୍କା ପାଖାପାଖି ହିଁ ରହିଯିବ, ଯାହାଫଳରେ ଉଭୟଙ୍କ ମଧ୍ୟରେ ଏକ ବିରାଟ ବ୍ୟବଧାନ ସୃଷ୍ଟି ହେବ।

ଆୟୋଗ ଆଗାମୀ ସପ୍ତାହଗୁଡ଼ିକରେ ଚଣ୍ଡୀଗଡ଼ (୧୬-୧୮ ସେପ୍ଟେମ୍ୱର) ଏବଂ ବେଙ୍ଗାଲୁରୁ (୭-୮ ଅକ୍ଟୋବର) ରେ ବିଭିନ୍ନ କର୍ମଚାରୀ ୟୁନିଅନ ତଥା ପେନସନଭୋଗୀ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ବୈଠକଗୁଡ଼ିକରେ ପେନସନ ଅସମାନତା ଏବଂ OROP ପ୍ରସଙ୍ଗ ପ୍ରମୁଖତାର ସହ ଉଠିବ। ତଥାପି, ବେସାମରିକ କର୍ମଚାରୀମାନଙ୍କୁ OROP ମିଳିବ କି ନାହିଁ, ତାହା ଆୟୋଗଙ୍କ ଚୂଡ଼ାନ୍ତ ସୁପାରିସ ଏବଂ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହୋଇପାରିବ।