ଭାରତ ୨ ରନରେ ପାକିସ୍ତାନକୁ ପରାସ୍ତ କରିଛି
1 min read
ହକଂ: ଭାରତର ପୂର୍ବତନ କ୍ରିକେଟର ରବିନ ଉଥପ୍ପା ଓ ଭରତ ଚିପ୍ଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ହଂକଂ ସିକ୍ସେସ କ୍ରିକେଟ ଟୁର୍ନାମେଣ୍ଟର ଏକ ଗ୍ରୁପ୍ ‘ସି’ ମ୍ୟାଚରେ ଭାରତ ୨ ରନରେ ପାକିସ୍ତାନକୁ ପରାସ୍ତ କରିଛି।
ଶୁକ୍ରବାର ବର୍ଷା ଯୋଗୁ ଡିଏଲ୍ଏସ୍ ପଦ୍ଧତିରେ ଖେଳାଯାଇଥିବା ଏହି ମ୍ୟାଚର ଭାରତ ୬ ଓଭରରେ ୪ ଉଇକେଟ ବିନିମୟରେ ୮୬ରନ କରିଥିଲା। ଉଥପ୍ପା ମାତ୍ର ୧୧ ବଲ୍ରେ ୨୮ରନ କରିଥିବା ବେଳେ ଚିପ୍ଲି ୧୩ ବଲ୍ରେ ୨୪ ରନ କରି ଥିଲେ। ପାକିସ୍ତାନର ଆରମ୍ଭ ଉତ୍ସାହଜନକ ଥିଲା। ଦଳ ୩ ଓଭରରେ ୧ ଉଇକେଟ ବିନିମୟରେ ୪୧ ରନ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଖେଳ ସ୍ଥଗିତ ରଖିବାକୁ ହୋଇଥିଲା।
ଫଳରେ ଡିଏଲ୍ଏସ୍ ପଦ୍ଧିତିର ସହାୟତା ନିଆଯିବାରୁ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ସ୍କୋରଠାରୁ ପାକିସ୍ତାନ ୨ ରନ ପଛରେ ରହିଯାଇଥିଲା। ମ୍ୟାଚରେ ଷ୍ଟୁଆର୍ଟ ବିନି ଟାଇଟ୍ ବୋଲିଂ କରିଥିଲେ। ସେ ମାତ୍ର ୭ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରି ମ୍ୟାଚରେ ଫରକ ଆଣିଥିଲେ। ପୁଲ୍ ‘ବି’ରେ ୟୁଏଇ ବିପକ୍ଷରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟ ହାସଲ କରିଛି।
ଦଳ ମାତ୍ର ୩ ଓଭରରେ ୮୮ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ଉଇକେଟରେ ହାସଲ କରି ନେଇଥିଲା। ଦଳପକ୍ଷରୁ ଜ୍ୟାକ୍ ଉଡ୍ ୧୧ ବଲ୍ରେ ୫୫ରନ ସଂଗ୍ରହ କରିଥିବା ବେଳେ ନିକ୍ ହବ୍ସନ ମାତ୍ର ୫ ବଲ୍ରେ ୨୬ ରନ କରି ଅପରାଜିତ ରହିଥିଲେ। ପୁଲ୍ ‘ଏ’ରେ ଆଫଗାନିସ୍ତାନ ଏହାର ଫର୍ମ ଜାରି ରଖି ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଟୁର୍ନମେଣ୍ଟରେ ଦଳର ଏହା ହେଉଛି ଦ୍ୱିତୀୟ ବିଜୟ। ଅଧିନାୟକ ଗୁଲ୍ବଦନ ନାଇବ ୧୨ ବଲ୍ରେ ଦ୍ରୁତ ୫୦ ରନ ଏବଂ କରିମ ଜନତ ୧୧ ବଲ୍ରେ ୪୬ ରନ କରିଥିଲେ। ଆଫଗାନିସ୍ତାନ ନିର୍ଦ୍ଧାରିତ ୬ ଓଭରରେ ୨ଉଇକେଟ ବିନିମୟରେ ୧୪୮ରନ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୨ଉଇକେଟ ବିନିମୟରେ ୯୯ରନ କରି ବିଜୟ ଲକ୍ଷ୍ୟଠାରୁ ବହୁ ପଛରେ ରହିଯାଇଥିଲା।
ପୁଲ୍ ‘ଡି’ରେ ବାଂଲାଦେଶ ୧୪ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦଳର ଅଧିନାୟକ ଆକବଲ ଅଲି ମାତ୍ର ୯ବଲ୍ରେ ୩୨ରନ କରିଥିଲେ। ତେବେ ମେସାଡେକ୍ ହୋସେନ ୨୦ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରି ମ୍ୟାଚକୁ ବାଂଲାଦେଶ ସପକ୍ଷରେ ନେଇ ଆସିଥିଲେ। ସେମାନେ ୭୫ରନ ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ରହିଥିଲେ। ଶ୍ରୀଲଙ୍କା ୬ଉଇକେଟ ବିନିମୟରେ ୬୧ରନ କରିପାରିଥିଲା। ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର ଏହା ଥିଲା ଦ୍ୱିତୀୟ ପରାଜୟ। ବର୍ଷାଯୋଗୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ ବାତିଲ କରିଦିଆଯାଇଥିଲା।


