July 27, 2024

ମୁଁ ଗୁଣ୍ଡୁଚିମୂଷା ଭାବେ ସାରା ଜୀବନ ଓଡ଼ିଶା ପାଇଁ କାମ କରୁଥିବି – ଧର୍ମେନ୍ଦ୍ର ପ୍ରଧାନ

1 min read

ଭୁବନେଶ୍ୱର : ଯଦି ପ୍ରଭୁ ମୋ ଉପରେ ଆଶୀର୍ବାଦ ଆର୍ଥାତ୍ ମୋତେ ସୁସ୍ଥ ରଖନ୍ତି ତେବେ ମୁଁ ଗୁଣ୍ଡୁଚିମୂଷା ଭାବେ ସାରା ଜୀବନ ଓଡ଼ିଶା ପାଇଁ କାମ କରୁଥିବି ବୋଲି ଆଜି ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦର ୪୦ତମ ବାର୍ଷିକ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହାତ୍ମା ଗାନ୍ଧିଜୀଙ୍କ ବିଚାରରେ ସମ୍ବାଦ ସେବା ପାଇଁ ଏବଂ ସଠିକ୍ ସମୟରେ ସମାଚାର ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବହାର କରିବା ଦରକାର ବୋଲି ଏହି କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ।

ସମ୍ବାଦ ୪୦ ବର୍ଷରେ ପଦାର୍ପଣ କରିଥିବାରୁ ସମ୍ବାଦ ପରିବାରକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତନ୍ତ୍ରରେ ମତକୁ ନେଇ ବିତର୍କ ହୋଇପାରେ । ବିଚାରକୁ ନେଇ ଆଲୋଚନା ଓ ସମାଲୋଚନା ହେବ । କିନ୍ତୁ ସମସ୍ତେ ଲକ୍ଷ୍ମଣ ରେଖା ଭିତରେ ରହିବା ଦରକାର । ବିଚାର ପାର୍ଥକ୍ୟକୁ ସମ୍ମାନ କରି ଶିଖିବା ଦରକାର, ଏହା ହିଁ ଗଣତନ୍ତ୍ରର ବଡ ସର୍ତ୍ତ । ସମ୍ବାଦର ମୂଳ ଦାୟିତ୍ୱକୁ ଅଣଦେଖା କରି ବିଚାର କରିବା ଉଚିତ୍ ନୁହେଁ । ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଦୀପିକା ହେଉ, ଗୋପବନ୍ଧୁ ଦାସଙ୍କ ଦ୍ୱାରା ସମାଜ ତଥା ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଜାତନ୍ତ୍ର ସେ ସମୟରେ ଗୋଟିଏ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା । ସମ୍ବାଦପତ୍ରର ଦାୟିତ୍ୱ କଣ, ତାହାର ବାର୍ତ୍ତା ଦିଆଯାଇଥିଲା ।

ସମାଜରେ ସର୍ବଦା ସାଧାରଣ ସମାଜ ପ୍ରଭାବଶାଳୀ ହେବା ଦରକାର । କିଛି ବିଷୟରେ ଆମ ଭିତରେ ଅସହମତ ଥାଇପାରେ, କିନ୍ତୁ କିଛି ବିଷୟରେ ଆମକୁ ସହମତ କରିବାକୁ ପଡିବ । ଓଡ଼ିଆ ଭାଷାକୁ ଆଗକୁ ନେବା, ମହାପ୍ରଭୁଙ୍କ ଅନୁଯାୟୀ ହେବା, ଓଡ଼ିଶାରେ ଅତୀତ ଭଳି ବ୍ୟବସାୟ ବଢାଇବା ପାଇଁ ଉଦ୍ୟମ କରିବା । ଏହି ସବୁ ବିଷୟରେ ସମସ୍ତେ ଚର୍ଚ୍ଚା ଓ ଆଲୋଚନା ଏବଂ ସମାଲୋଚନା କରିବା ଦରକାର । ଏହା ଗଣତାନ୍ତ୍ରିକ ପଦ୍ଧତି ।  ସମ୍ବାଦ ଏପ୍ରକାର ସମାଜିକ ଦଣ୍ଡଶକ୍ତି ହେଉ । ସବୁ ବ୍ୟକ୍ତି, ପରିବାର ଓ ସଂଗଠନର ସିତାବସ୍ଥାରେ ପରିବର୍ତ୍ତନରେ ଆସେ । କିନ୍ତୁ ଯେଉଁ ବ୍ୟକ୍ତି, ପରିବାର ଓ ସଂଗଠନ ଆଗକୁ ଦେଖେ ସେ ଆଗକୁ ବଢେ । 

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ପ୍ରଥମ ଟେକ୍ନୋଲୋଜି ପ୍ରିଣ୍ଟିଂ ପ୍ରେସ୍ ସମ୍ବାଦ କେବଳ ଖବର ପ୍ରକାଶ କରିବା ନୁହେଁ ବରଂ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିବା, ଆମ ବହି କାର୍ଯ୍ୟକ୍ରମ ଦ୍ୱାରା ନୂତନ ଲେଖକ ମାନଙ୍କୁ ପୁସ୍ତକ ଲେଖିବା ପାଇଁ ପ୍ରୋତ୍ସାହିତ କରିବା, ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଦେବା, ସାହିତ୍ୟ ଘର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ଏବଂ ଓଡ଼ିଆତ୍ୱକୁ ନିଜ ଢଙ୍ଗରେ ପ୍ରସ୍ଫୁଟିତ କରିଥିବାରୁ ମୁଁ ସମ୍ବାଦର ପ୍ରଶଂସକ। 

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ରାଷ୍ଟ୍ର ଗଢିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ମହାତ୍ମା ଗାନ୍ଧି ସାମ୍ବାଦିକତାକୁ ସେବାର ମାଧ୍ୟମ ବୋଲି ମାନୁଥିଲେ । କିନ୍ତୁ ଆଜି ନ୍ୟାସନାଲ ହେରଲ୍ଡ ଭଳି କିଛି ଲୋକ ଓ ସଂସ୍ଥା ସାମ୍ବାଦିକତାକୁ ବ୍ୟକ୍ତିଗତ ସମ୍ପତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ହୁଏତ ସେମାନେ ଗାନ୍ଧିଜୀଙ୍କ ସେହି ବିଚାରକୁ ଭୁଲିଗଲେ ଯେ ସାମ୍ବାଦିକତା ସେବା ପାଇଁ ଏବଂ ସଠିକ୍ ସମୟରେ ଖବର ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବହାର କରିବା ଦରକାର ।

ଯୁବ ପ୍ରବର୍ତ୍ତକ ସାହିତ୍ୟିକ ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କୁ ସ୍ମୃତିଚାରଣ ସହ ଶ୍ରୀ ଠାକୁର କହିଥିଲେ ଯେ ସେ ଜଣେ ମହାନ କବି ଓ ଲେଖକ ସହ ଜଣେ ମହାନ ପତ୍ରକାର । ନିଜ ଜୀବନକୁ ସାହିତ୍ୟ ଓ ପତ୍ରକାରିତା ପାଇଁ ସେ ସମର୍ପଣ କରିଥିଲେ । ଏହାବ୍ୟତିତ ଜାତୀୟ ଶିକ୍ଷା ନୀତିକୁ ପ୍ରଶଂସା କରିବା ସହ ଶିକ୍ଷା ଓ ସମ୍ବାଦରେ ଭାଷା ପ୍ରତିବନ୍ଧକ ନହେବା ଦରକାର । ସ୍ଥାନୀୟ ଭାଷାରେ ପ୍ରଥମେ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ପତ୍ର ପଢିବା ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *