ଏଆଇ ଟ୍ରେଲ୍ଗାର୍ଡ କ୍ୟାମେରା ଧରାଇଲା ଶିକାରୀ
1 min read
ବାରିପଦା : ଶମିଳିପାଳ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଏଆଇ ଟ୍ରେଲ୍ଗାର୍ଡ କ୍ୟାମେରା ଦ୍ବାରା ପୁଣି ଏକ ବେଆଇନ ଶିକାରୀ ଧରାପଡ଼ିଛି। ଶିକାରୀ ନିକଟରୁ ବନ୍ଧୁକ, ବିସ୍ଫୋରକ ଆଦି ଜବତ କରାଯାଇଛି। ଆଜି ଶିମିଳିପାଳ ଦକ୍ଷିଣ ୱାଇଲ୍ଡଲାଇଫ୍ ଡିଭିଜନ୍ ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ, ଏଆଇ କ୍ୟାମେରା ଠାରୁ ମିଳିଥିବା ଫଟୋ ସତର୍କତା ଅନୁସାରେ, ବନବିଭାଗ ଟିମ୍ ଶିକାରୀକୁ ଧରିବାକୁ ଯୋଜନା ଯୋଜନା କରିଥିଲେ। ତେବେ ବନବିଭାଗ କର୍ମଚାରୀଙ୍କୁ ଦେଖି ସେ ଖସିପଳାଇଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଧରାପଡ଼ିଥିବା କାପ୍ତିପଦା ଥାନା ଅନ୍ତର୍ଗତ ଜେଏସ୍ ଜମଧିଆ ବାସିନ୍ଦା ଶିକାରୀ ଦାଶରଥୀ ସିଂ (୫୦) ନିକଟରୁ ଏକ ଦେଶୀ ବନ୍ଧୁକ, ବିସ୍ଫୋରକ ଗୁଣ୍ଡ, ଦିଆସିଲି, ସାଇକଲ୍ କଟ୍ଟର ପିନ୍ ୧୦ଟି, ସାଇକଲ୍ ବଲ୍ସ ୨୨୦ଟି, ମାଛଧରା ଜାଲ ବଲ୍ସ୍ ୬ଟି ଆଦି ଜବତ ହୋଇଛି। ଅଭିଯୁକ୍ତ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ର ଧାରା ୯, ୨୭, ୨୯, ୩୦, ୩୧, ୩୨, ୩୪, ୩୯, ୫୨ରେ ଏକ ମାମଲା ରୁଜୁ କରାଯାଇ ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଇଜଲାସ୍ରେ ହାଜର କରାଯାଇଛି।


