ଜୁନାଗଡ଼ ରୋଡ୍ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍ର ଶୁଭାରମ୍ଭ
1 min read
ଜୁନାଗଡ଼:- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଏହି ସମ୍ପ୍ରସାରଣ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାର ଜନସାଧାରଣଙ୍କ ପାଇଁ ଅଧିକ ଯାତ୍ରୀ ସୁବିଧା, ଉନ୍ନତ ସୁଗମତା ଏବଂ ନୂତନ ସୁଯୋଗ ଆଣିବ। ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ରୋଡ୍ ଏବଂ ଟିଟଲାଗଡ଼ ମଧ୍ୟରେ ବିସ୍ତାରିତ ଅଂଶର ଉଦଘାଟନୀ ଟ୍ରେନ୍କୁ ଗୁରୁବାର ଅପରାହ୍ନରେ ଜୁନାଗଡ଼ ରୋଡ୍ ଷ୍ଟେଶନରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ଏମ୍ପି ମାଳବିକା ଦେବୀ ଯୋଗଦେଇ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଗରିମା ତିୱାରୀ ପୂର୍ବତନ ଏମପି ଅର୍କ କେଶରୀ ଦେଓ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏମ୍ପି ଦେବୀ ଜୁନାଗଡ଼ ରୋଡ଼ରୁ ଭବାନୀପାଟଣା ପର୍ଯ୍ୟନ୍ତ ଏହି ଟ୍ରେନ୍ରେ ଯାତ୍ରା କରିଥଲେ ।ସମ୍ପ୍ରସାରିତ ଏହି ହାଓ୍ବଡା-ଟିଟଲାଗଡ଼ – ଜୁନାଗଡ଼ ରୋଡ ଇସ୍ପାତ ଏକ୍ସପ୍ରେସ ଟିଟଲାଗଡ଼ ଏବଂ ଜୁନାଗଡ଼ ରୋଡ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ ଏବଂ ଭବାନୀପାଟଣା ଷ୍ଟେଶନରେ ରହଣି କରିବ। ଟ୍ରେନ୍ ନମ୍ବର ୧୨୮୭୧ (ହାଓ୍ବଡା-ଟିଟଲାଗଡ଼ ଏକ୍ସପ୍ରେସ୍) ଏବେ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲିବ। ଯାହାକି ୨୧.୦୨.୨୦୨୬ ରୁ ହାଓ୍ବଡାରୁ ଆରମ୍ଭ ହେବ। ସେହିପରି ଟ୍ରେନ ନମ୍ବର ୧୨୮୭୨ (ଟିଟଲାଗଡ଼-ହାଓ୍ବଡା ଏକ୍ସପ୍ରେସ) ୨୨.୦୨.୨୦୨୬ ରୁ ଜୁନାଗଡ଼ ରୋଡରୁ ଆରମ୍ଭ ହେବ।


