ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍ବିଏସ୍) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ
1 min read
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମ୍ବିଏସ୍) ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ଖାରବେଳ ଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରି ରହି ଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ଉପରେ ସମୀକ୍ଷା କରାଯାଇଛି। ସଂସ୍ଥାଗତ ବ୍ୟବସ୍ଥାର ପୁନଃସଂରଚନା, ସମନ୍ୱୟ, ନିରୀକ୍ଷଣ ଓ ଦାୟିତ୍ୱବୋଧ ସୁଦୃଢ଼ କରିବା, ବସ୍ ରୁଟ୍ଗୁଡ଼ିକର ଯୁକ୍ତିସଂଗତ ପୁନର୍ବ୍ୟବସ୍ଥା, ଆବରଣ ବୃଦ୍ଧି, ପୁନରାବୃତ୍ତି କମାଇବା ଓ ପ୍ରଚାଳନା କ୍ଷମତା ଉନ୍ନତ କରିବା ଏବଂ ପିପିପି ଅପରେଟରମାନଙ୍କ ପାଇଁ ଜିସିସି ଦର ପୁନଃନିର୍ଦ୍ଧାରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଜିଲ୍ଲାସ୍ତରରୁ ଆସୁଥିବା ପ୍ରସ୍ତାବ ଆଧାରରେ ବସ୍ ରୁଟ୍ଗୁଡ଼ିକୁ ପୁନଃସଂଗଠିତ କରି ବିଦ୍ୟାଳୟ, ଚିକିତ୍ସାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସାର୍ବଜନିକ ସଂସ୍ଥା ସହ ସଂଯୋଗ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ସେ ମିଶନ ଶକ୍ତି ଓ ମହିଳା ଏସ୍ଏଚ୍ଜିଙ୍କ ଅଧିକ ସକ୍ରିୟ ସଂଲଗ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦେଇ, ମୁଖ୍ୟମନ୍ତ୍ରୀ ବସ୍ ସେବା ଓଡ଼ିଶାର ସହଜ, ସୁରକ୍ଷିତ ଓ ସସ୍ଥାୟୀ ସାର୍ବଜନିକ ପରିବହନ ଦୃଷ୍ଟିକୋଣର ଏକ ମୁଖ୍ୟ ଆଧାର ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ବସ୍ ସେବାର କାର୍ଯ୍ୟଦକ୍ଷତା ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ସମୀକ୍ଷା କରାଯାଇ, ସାର୍ବଜନିନ ପରିବହନକୁ ନିର୍ଭରଯୋଗ୍ୟ, ସାମାବେଶୀ ଓ ଲୋକକେନ୍ଦ୍ରିକ ଗତିଶୀଳତା ସମାଧାନ ଭାବେ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି, ଓପିଏଚ୍ ଏବଂ ଡବ୍ଲ୍ୟୁସି; ଅମିତାଭ ଠାକୁର, ପରିବହନ ଆୟୁକ୍ତ; ଏନ୍ବିଏସ୍ ରାଜପୁତ, ସିଏମ୍ଡି, ଓଏସ୍ଆର୍ଟିସି , ଗିରିଶ ଏସ୍.ଏନ କମିଶନର-କମ୍-ସଚିବ, ମିଶନ ଶକ୍ତି ବିଭାଗ ଏବଂ ସଞ୍ଜୟ ବିଶ୍ଵାଳ, ଜିଏମ୍ , ଓ ଏସ୍ ଆର୍ ଟି ସିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


