ଆଗାମୀ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
1 min read
Water flowing along the street curb during heavy rain. Close up of splashing raindrops and air bubbles.
ଭୁବନେଶ୍ୱର: ବଙ୍ଗୋପସାଗରର ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପଟି ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆହୁରି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ବର୍ଷା ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୁକ୍ରବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।
ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଲଘୁଚାପଟି ଅଧିକ ଘନୀଭୂତ ହେଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪୪ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ଵାଭାବିକଠାରୁ ୯ ପ୍ରତିଶତ କମ୍ ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।