January 26, 2026

ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ

1 min read

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ। ଶ୍ରୀ ଗାଙ୍ଗୋତ୍ରୀ ମନ୍ଦିର କମିଟି ପକ୍ଷରୁ ରବିବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। କେବଳ ମୁଖ୍ୟ ଧାମ ନୁହେଁ, ବରଂ ମା’ ଗଙ୍ଗାଙ୍କ ଶୀତକାଳୀନ ଆବାସସ୍ଥଳୀ ‘ମୁଖବା’ରେ ମଧ୍ୟ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଟି ଅଧ୍ୟକ୍ଷ ସୁରେଶ ସେମୱାଲ ନିଶ୍ଚିତ କରିଛନ୍ତି।

ଗାଙ୍ଗୋତ୍ରୀ କମିଟିର ନିଷ୍ପତ୍ତି ପରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଛି। BKTC ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ସୂଚନା ଦେଇଛନ୍ତି ଯେ, ବଦ୍ରିନାଥ, କେଦାରନାଥ ଏବଂ ଏହି କମିଟି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ବାରଣ କରିବା ପାଇଁ ଆଗାମୀ ବୋର୍ଡ ବୈଠକରେ ଏକ ପ୍ରସ୍ତାବ ଆଗତ କରାଯିବ।

ଉତ୍ତରାଖଣ୍ଡର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ଯେ, ତୀର୍ଥସ୍ଥଳୀ ପରିଚାଳନା କମିଟିଗୁଡ଼ିକର ସୁପାରିଶ ଅନୁଯାୟୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ। ରାଜ୍ୟରେ ଥିବା ବେଆଇନ ମନ୍ଦିର/ଧାର୍ମିକ ସ୍ଥଳ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ କମିଟି ସ୍ୱାଗତ କରିଛି।