March 19, 2026

ପିଚୁ କାରଖାନାରେ ଲାଗିଲା ନିଆଁ

1 min read

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ ଚାରିଆଡ଼ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା, ଯାହା ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା। ପିଚୁ ସହିତ ଅନ୍ୟାନ୍ୟ ପେଟ୍ରୋକେମିକାଲ ସାମଗ୍ରୀ ମହଜୁଦ ଥିବାରୁ ନିଆଁ ଖୁବଶୀଘ୍ର ବ୍ୟାପି ଯାଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ସମ୍ବଲପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଅତ୍ୟାଧୁନିକ ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ପାଣିର ବ୍ୟବହାର କରି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଖାନା ଭିତରେ ବହୁ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ତାହାର ଆକଳନ କରାଯାଉଛି। କାରଖାନା ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ଥିଲା କି ନାହିଁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ସୁଦ୍ଧା କାରଖାନା କର୍ତ୍ତୃପକ୍ଷ ବା ପ୍ରଶାସନିକ କିମ୍ବା ଅଗ୍ନିଶମ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।