ଶୁକ୍ରବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ
1 min read
ଛତିଶଗଡ଼: ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଥୁଲଥୁଲି ଜଙ୍ଗଲରେ ଶୁକ୍ରବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୬ ମାଓବାଦୀ ନିହତ ହୋଇଛନ୍ତି।
ଥୁଲଥୁଲି ଜଙ୍ଗଲ ମାଓବାଦୀଙ୍କ ଆଡ୍ଡାସ୍ଥଳ ଭାବେ ପରିଚିତ। ଏଠାରେ ନିୟମିତ ବ୍ୟବଧାନରେ ପୁଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନ କରାଯାଇଥାଏ। କିଛି ମାଓବାଦୀ ଜଙ୍ଗଲରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଦାନ୍ତେଓ୍ବାଡ଼ା ଏବଂ ନାରାୟଣପୁର ଜିଲାର ଡିଆରଜି ଓ ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିବାରୁ ୬ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସନ୍ଧ୍ୟା ସୁଦ୍ଧା ଜଙ୍ଗଲରେ ଅପରେସନ ଜାରି ରହିଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରେ ମଧ୍ୟରେ ଏହି ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା, ଯେଉଁଥିରେ ୩୮ ମାଓବାଦୀ ନିହତ ହୋଇଥିଲେ।