October 14, 2025

ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି

1 min read

ଗଞ୍ଜାମ: ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ, ମନ ଇଚ୍ଛା ବିଦ୍ୟୁତ କାଟ୍‌ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ବିରୋଧ କରି ରବିବାର ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ରାଜ୍ୟ ବରିଷ୍ଠ ସିପିଏମ୍‌ ନେତା ଅଳିକିଶୋର ପଟ୍ଟନାୟକ, ଏଆଇକେଏସ୍‌ ଜିଲା ସଭାପତି ପି ହରେକୃଷ୍ଣ ରେଡ୍ଡି, ପୂର୍ବତନ ସରପଞ୍ଚ ଦିଲୀପ କୁମାର ଛୋଟରାଏ ପ୍ରମୁଖ ଉପସ୍ଥିତ ରହି ଟାଟା କର୍ମଚାରୀଙ୍କ ଶୋଷଣ ନୀତିକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଜନ ଆନ୍ଦୋଳନ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗଞ୍ଜାମ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ଆଲୋଚନା ହୋଇଥିଲା।
ତାଲା ପଡ଼ିଥିବା ଘରକୁ ମଧ୍ୟ ୧୫ ଶହରୁ ୧୭ ଶହ ଟଙ୍କା ବିଲ୍‌ ଆସୁଥିବା ପ୍ରତିବାଦ ସଭାରେ ଲୋକେ ଅଭିଯୋଗ କରିଥିଲେ। ସ୍ମାର୍ଟ ମିଟର ବର୍ଜନ ପାଇଁ ୧୦ ପଞ୍ଚାୟତର ପ୍ରାୟ ୨୫ ଖଣ୍ଡ ଗ୍ରାମର ଜନସାଧାରଣ ଏହି ପ୍ରତିବାଦ ସଭାରେ ମେଳି ବାନ୍ଧିଥିଲେ। ଏଥିରେ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରା, ସନ୍ତୋଷପୁର ସରପଞ୍ଚ ପ୍ରତିନିଧି ଭୀମସେନ ସାହୁ,ସମିତି ସଭ୍ୟ ପ୍ରତିନିଧି ରାମଚନ୍ଦ୍ର ରେଡ୍ଡି, ଶିକ୍ଷାବିତ ରାମଚନ୍ଦ୍ର ଗୌଡ଼, ଖଲି ସ୍ବାଇଁ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ଗୌଡ଼, ପ୍ରଫୁଲ୍ଲ ମାଳି, ପାଲଙ୍ଗ ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ରେଡି, କୁମୁଦ ସ୍ବାଇଁଙ୍କ ସମେତ ଶତାଧିକ ବିଦ୍ୟୁତ ଉପଭୋକ୍ତା, ଜନସାଧାରଣ ଉପସ୍ଥିତ ଥିଲେ।