ଭଦ୍ରକରେ ଇଦ-ଉଲ-ଫିତର ପର୍ବ ପାଳିତ
1 min read
ଭଦ୍ରକ: ଉତ୍ସାହ ସହ ଭଦ୍ରକ ଭାଇଚାରା ସହରରେ ଶନିବାର ପବିତ୍ର ଇଦ-ଉଲ-ଫିତର ପର୍ବ ପାଳିତ ହୋଇଯାଇଛି I ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦରେ ସକାଳ ୯.୧୫ ମିନିଟ ଓ କୁଆଁସ କଦମ୍ବବେଡା ସ୍ଥିତ ଇଦଘା ଠାରେ ସକାଳ ୯. ୩୦ ମିନିଟ ସମୟ ସମେତ ସହରଅଞ୍ଚଳ ରେ ୩୮ ମସଜିଦ ଓ ଗ୍ରାମାଞ୍ଚଳର ୭ ଟି ମସଜିଦ ସହିତ ୪୫ ମସଜିଦ ଏବଂ ଭଦ୍ରକ ଜିଲ୍ଲାରେ ୧୪୬ ଟି ମସଜିଦରେ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମ ସାମ୍ପ୍ରଦାୟର ବ୍ୟକ୍ତି ନୂତନ ବସ୍ତ୍ର ପରିଧାନ କରି ନିର୍ଦ୍ଧାରିତ ସମୟରେ ସମୂହ ନମାଜ ପାଠ କରାଯାଇଥିଲାI ଭଦ୍ରକ ଜାମା ମସଜିଦରେ ହାଫିଜ଼ ଓ କାରୀ ମହମ୍ମଦ ସାଦିକ ହୋସେନ ଓ ଇଦଘାରେ ହାଫିଜ଼ ଅବଦୁଲ ଦୟାନ ମୁସଲମାନ ଧର୍ମାବଳମ୍ବିଙ୍କୁ ନମାଜ ପାଠ କରାଇବା ସହ ନୀତିନିଷ୍ଟ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେI ନମାଜପାଠ ପରେ ଉଭୟ ହିନ୍ଦୁ ଭାଇଙ୍କ ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ର ବ୍ୟକ୍ତିମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇଥିଲେI ରମଜାନର ରୋଜା ଅର୍ଥ କେବଳ ଦିନସାରା ଭୋକିଲା ରହିବା ନୁହେଁ, ବରଂ ଆତ୍ମା ମଧ୍ୟ ଈଶ୍ୱରଙ୍କ ସାନିଦ୍ଧ ଲାଭ ପାଇଁ କ୍ଷୁଦ୍ଧାର୍ଥ ରହିଥାଏ ଏବଂ ଇଦ ପର୍ବ ଖୁସୀ, ତ୍ୟାଗ, ଦାନ, ପ୍ରୀତି, ଶାନ୍ତି ଶୁଙ୍ଖଳା ସହ ଭାଇଚାରା ସହିତ ପର୍ବ ପାଳନକୁ ଇଦ ପର୍ବ କୁହାଯାଏ ବୋଲି ମୁସଲିମ ଜମାତର ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ନମାଜ ପାଠ ପରେ କହିଛନ୍ତିI
ଚଳିତ ବର୍ଷ ଚନ୍ଦ୍ର ଦୃଶ୍ୟର ପ୍ରମାଣ ମିଳି ନ ଥିବାରୁ ୩୦ ରୋଜା ଓ ୩୦ ତରା୍ୱୀ ନମାଜ ପାଠ ହେବ ବୋଲି ଭଦ୍ରକ ମୁସଲିମ ଜମାତରେ ହଲାଲ କମିଟି ଘୋଷଣା କରିଥିଲା I ଆଜି ପବିତ୍ର ଦିବସ ପାଇଁ ସହର ଓ ଗ୍ରାମାଞ୍ଚଳର ସମସ୍ତ ମସଜିଦରେ ବିଭିନ୍ନ ଆଲୋକ ମାଳାରେ ସଜା ଯାଇଥିବା ଦେଖିବାକୁ ମିଳିଥିଲାI ଜାମା ମସଜିଦ ଠାରେ ମସଜିଦ ସଭାପତି ହାଜୀ କାସିମ ଖାନ, ସମ୍ପାଦକ ଶେଖ ହାଫିଜୁଲ୍ଲା, ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ଇନାମ ମହମ୍ମଦ ଏବଂ ଇଦଘା ଠାରେ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ହାଜୀ କୈ୍ୟୁମ ସାହା, ଅସରଫ ଅଲି ଖାନ, ମିର୍ଜା ଏକ୍ରାମ ବେଗ, ଜମିଲ ଅଖତର ଖାନ, ଅଖତର ଅଲି ଖାନ ଓ ଶେଖ ନଇମ ପ୍ରମୁଖ ଉପସ୍ଥିତ ରହିଥିଲେI ଏହି ଇଦ ପର୍ବ ଅବସରରେ ସମାଜସେବୀ ଶେଖର ମହାପାତ୍ର , ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନଳିନୀ ମହାନ୍ତି, ଅସିତ ପଟ୍ଟନାୟକ ଓ ଦିଲୀପ ନାୟକ ସମେତ ବହୁ ରାଜନୈତିକ ନେତୃବୃନ୍ଦ ଉପସ୍ଥିତ ରହି ଇଦ ଶୁଭେଚ୍ଛା ଜଣାଇଥିଲେI ଭଦ୍ରକ ଏସପି ମନୋଜ କୁମାର ରାଉତ, ଅତିରିକ୍ତ ଏସପି ଡିଆଇବି ଅଂଶୁମାନ ଦିବେଦୀ, ସିଟି ଡିଏସପି ଅନିଲ ପ୍ରଧାନ, ପୁରୁଣା ବଜ଼ାର ଥାନା ଅଧିକାରୀ ଓ ଟାଉନ ଥାନା ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ମୁସଲମାନ ଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତିI ଇଦ-ଉଲ-ଫିତର ପାଳନ ଅବସରରେ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲାI


