August 10, 2026

ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶିକ୍ଷାବିତ୍‌ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍‌ ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି

1 min read

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶିକ୍ଷାବିତ୍‌ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍‌ ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ୱାଙ୍ଗଚୁକ୍‌ଙ୍କ ଅନଶନ ସୋମବାର ୧୬ ଦିନରେ ପ୍ରବେଶ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ସୋମବାର କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଯନ୍ତରମନ୍ତରଠାରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି।
ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିବସେନା (ୟୁବିଟି) ମୁଖ୍ୟ କହିଛନ୍ତି ଯେ, ସେ ପ୍ରତିବାଦ ସ୍ଥଳ ପରିଦର୍ଶନ କରିବେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସେଠାକୁ ଗସ୍ତ କରିବାକୁ ଆହ୍ୱାନ କରିଛନ୍ତି। ଠାକ୍‌ରେ ଜୁଲାଇ ୨୦ ତାରିଖରେ ଦିଲ୍ଲୀ ଗସ୍ତ କରି ଯନ୍ତରମନ୍ତରରେ ଚାଲିଥିବା ଧାରଣାସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି। ଆମ୍‌ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି, ଟିଏମସିର ମହୁଆ ମୋଇତ୍ରା ଓ କୀର୍ତ୍ତି ଆଜାଦ, ସିପିଆଇ(ଏମ)ର ଏମଏ ବେବି, ବୃନ୍ଦା କରାତ ଓ କେରଳ ନେତା କେକେ ଶୈଳଜା ସିଜେପି ଆନ୍ଦୋଳନକୁ ସମର୍ଥନ କରିଛନ୍ତି।
ଅନଶନରେ ଥିବା ୱାଙ୍ଗଚୁକ୍‌ଙ୍କର ଇତିମଧ୍ୟରେ ୮.୨ କିଲୋଗ୍ରାମ ଓଜନ ହ୍ରାସ ପାଇଲାଣି ବୋଲି ସିଜେପି କହିଛି। ସିଜେପି କହିଛି ଯେ, ୱାଙ୍ଗଚୁକ୍‌ଙ୍କ ରକ୍ତରେ ଶର୍କରା ସ୍ତର ୬୭ ଏମ୍‌ଜି/ଡିଏଲ୍‌ କୁ ହ୍ରାସ ପାଇଛି। ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଯନ୍ତରମନ୍ତରଠାରେ ସିଜେପିର ଧାରଣା ସୋମବାର ସୁଦ୍ଧା ୨୪ ଦିନରେ ପହଞ୍ଚିଛି।