ଦେଶବ୍ୟାପୀ ଇ୨୦ ପେଟ୍ରୋଲ୍ ବିକ୍ରି ଆରମ୍ଭ
1 min read
ନୂଆଦିଲ୍ଲୀ: ପେଟ୍ରୋଲ୍ ପମ୍ପରେ ଇ୨୦ ପେଟ୍ରୋଲ୍କୁ ମୁଖ୍ୟ ଇନ୍ଧନ ଭାବେ ବିକ୍ରି କରାଯିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ଇ୨୦ ପେଟ୍ରୋଲ୍ରେ ୨୦ ପ୍ରତିଶତ ଇଥାନଲ୍ ଓ ୮୦ ପ୍ରତିଶତ ସାଧାରଣ ପେଟ୍ରୋଲ୍ ରହିଛି। ଇଥାନଲ୍ ହେଉଛି ଏକ ଜୈବ ଇନ୍ଧନ ଯାହାକୁ ଆଖୁ, ମକା ଓ ଶସ୍ୟର ଅବଶେଷରୁ ଉତ୍ପାଦନ କରାଯାଉଛି। ଗତବର୍ଷ ଏପ୍ରିଲ୍ ୧ରୁ ଦେଶବ୍ୟାପୀ ଏହି ଇନ୍ଧନ ବିକ୍ରି ଆରମ୍ଭ କରାଯାଇଥିଲା। ଅଶୋଧିତ ତୈଳ ଆମଦାନି ଖର୍ଚ୍ଚ କମ୍ କରିବା ଏବଂ ସ୍ବଚ୍ଛ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଇ୨୦ ପେଟ୍ରୋଲ୍ ବିକ୍ରି କରାଯାଉଛି।
ଇ୨୦ ପେଟ୍ରୋଲ୍ର ଅକ୍ଟେନ୍ ରେଟିଂ ୯୫ ଆର୍ଓଏନ୍ ରହିଛି ଯାହା ସାଧାରଣ ପେଟ୍ରୋଲ୍ରୁ ୯୧-୯୨ ଆର୍ଓଏନ୍ ରହିଥାଏ। ଏହାର ଅର୍ଥ ହେଉଛି ଇ୨୦ ପେଟ୍ରୋଲ୍ର ଦହନଶୀଳ କ୍ଷମତା ଅଧିକ ଓ ତାହା ପଡ଼ିଲେ ଇଞ୍ଜିନର ପ୍ରଦର୍ଶନରେ ଉନ୍ନତି ଆସିଥାଏ। ଏବେ ଅଧିକାଂଶ କାର୍ କମ୍ପାନି ଇ୨୦ ପେଟ୍ରୋଲ୍କୁ ସୁହାଇବା ଭଳି ଇଞ୍ଜିନ ବିଶିଷ୍ଟ ଗାଡ଼ି ତିଆରି କରୁଛନ୍ତି। ଅଧିକ ଇଥାନଲ୍ ମିଶିଥିବା ପେଟ୍ରୋଲ୍ର ପରିଚାଳନା କରିବା ପାଇଁ ଇଞ୍ଜିନରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। ପୁରୁଣା କାର୍ଗୁଡ଼ିକରେ ମଧ୍ୟ ଇ୨୦ ପେଟ୍ରୋଲ ବ୍ୟବହାର ହେଉଛି। କିନ୍ତୁ ସେଥିରେ ମାଇଲେଜ୍ ସାମାନ୍ୟ କମ୍ ହେଉଥିବା ଦାବି କରାଯାଉଛି। ସମୟ ଗଡ଼ିବା ସହ ପୁରୁଣା ଗାଡ଼ିର ଇଞ୍ଜିନକୁ ମଧ୍ୟ ଏହି ଇନ୍ଧନ ପ୍ରଭାବିତ କରୁଛି।


