May 19, 2025

ମହାକୁମ୍ଭ ସମୟରେ କେବଳ ଡଙ୍ଗା ଚଳାଇ ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର

1 min read

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା। ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୬୫ କୋଟିରୁ ଅଧିକ ଭକ୍ତ ଆସି ସଙ୍ଗମରେ ବୁଡ଼ ପକାଇଥିଲେ। ଧର୍ମ ଏବଂ ଆଧ୍ୟାତ୍ମିକତାକୁ ଜୀବନ ସହ ସଂଯୋଗ କରିଥିବା ଏହି ମେଳା ଅର୍ଥନୈତିକ ଦୃଷ୍ଟି କୋଣରୁ ଗୁରୁତ୍ଵପୂର୍ଣ୍ଣ ଥିଲା। ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ରୋଜଗାରର ଏକ ଉତ୍ସ ପାଲଟିଥିଲା। ଏହାରି ମଧ୍ୟରେ ଏକ ନାବିକ ପରିବାର ମହାକୁମ୍ଭରେ ସେମାନଙ୍କ ରୋଜଗାର ପାଇଁ ଚର୍ଚ୍ଚାରେ ଅଛନ୍ତି।

ଏହି ପରିବାର ମହାକୁମ୍ଭ ସମୟରେ କେବଳ ଡଙ୍ଗା ଚଳାଇ ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ଉଲ୍ଲେଖ କରିଛନ୍ତି। ତେବେ ଏହି ପରିବାର ବିଷୟରେ ଆସନ୍ତୁ ଜାଣିବା।

ଏହି ନାବିକ ପରିବାର ପ୍ରୟାଗରାଜର ନୈନିର ଆରାଇଲର ବାସିନ୍ଦା। ପିଣ୍ଟୁ ମହରା, ତାଙ୍କ ମାଆ ଶୁକ୍ଳାବତୀ ପରିବାରର ମୁଖିଆ ହୋଇଥିବାବେଳେ ଓ ପରିବାରର ୧୦୦ରୁ ଅଧିକ ସଦସ୍ୟ ଡଙ୍ଗା ଚାଳନା ବ୍ୟବସାୟରେ ନିୟୋଜିତ ଅଛନ୍ତି। ମହାକୁମ୍ଭ ପରେ ପରିବାରରେ ଖୁସିର ପରିବେଶ ରହିଛି। ଏହି ପରିବାର ମହାକୁମ୍ଭରେ ଡଙ୍ଗା ଚଳାଇ ୩୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ଅନେକଙ୍କୁ ଚକିତ କରିଛି।

ଏହି ପରିବାର ପାଖରେ ୧୦୦ରୁ ଅଧିକ ଡଙ୍ଗା ଅଛି। ଏହାଛଡ଼ା ସେମାନେ ନିକଟସ୍ଥ ଅଞ୍ଚଳରୁ ଅନେକ ଡଙ୍ଗା ମଧ୍ୟ ଆଣିଥିଲେ। ମହାକୁମ୍ଭକୁ ଆସୁଥିବା କୋଟି କୋଟି ଭକ୍ତଙ୍କ ଯୋଗୁଁ ସେମାନଙ୍କ ଡଙ୍ଗା ଗୋଟିଏ ଦିନ ପାଇଁ ମଧ୍ୟ ଖାଲି ରହିନଥିଲା। ପ୍ରତ୍ୟେକ ଡଙ୍ଗାରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି।