September 12, 2024

ଡେଙ୍ଗୁ ସ୍ଥିତି ଅଣାୟତ୍ତ: କେତେଦିନ ରହିବ ଆକଳନ କଷ୍ଟକର

1 min read

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ପରୀକ୍ଷା ପାଇଁ ଡାକ୍ତରଖାନା ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ଅନ୍ୟପକ୍ଷରେ ଡେଙ୍ଗୁ ସ୍ଥିତି ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ଷା ଲାଗି ରହିଥିବାରୁ ଡେଙ୍ଗୁ କେତେଦିନ ରହିବ ଆକଳନ କଷ୍ଟକର ।

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ସେହିପରି ରାଜଧାନୀର ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି । ଆଇଆରସି ଭିଲେଜ ସ୍ଥିତ ଅର୍ବାନ ପିଏଚସି ଓ ପଟିଆ ସିଏଚସିରେ ଡେଙ୍ଗୁ ଟେଷ୍ଟ କରାଯିବ । କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବାକୁ ରାଜଧାନୀର ଏହି ୨ଟି ସ୍ଥାନରେ ଡେଙ୍ଗୁ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଡାକ୍ତର ମିଶ୍ର କହିଛନ୍ତି, ଆଜିଠାରୁ ୨ରୁ ୩ ଦିନ ମଧ୍ୟରେ ଆଇଆରସି ଭିଲେଜ ଅର୍ବାନ ପିଏଚସିରେ ଡେଙ୍ଗୁ ପରୀକ୍ଷା ଲ୍ୟାବ ଖୋଲିବ । ଏହାପରେ ପଟିଆ ସିଏଚସିରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟରି ଖୋଲାଯିବ । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ, ଏମସ୍ ଭୁବନେଶ୍ୱର ଓ ଆରଏମଆରସିରେ ଲୋକମାନେ ଡେଙ୍ଗୁ ପରୀକ୍ଷା କରୁଥିଲେ । ଏବେ ଏହି ଦୁଇଟି ସ୍ଥାନରେ ଲ୍ୟାବ କାର୍ଯ୍ୟକାରୀ ହେଲେ ଲୋକଙ୍କ ସମସ୍ୟା ବହୁ ମାତ୍ରାରେ କମିବ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

୩୦ ଜିଲ୍ଲାକୁ ବ୍ୟାପିଲାଣି

ରାଜ୍ୟର ୩୦ ଜିଲ୍ଲାକୁ ଡେଙ୍ଗୁ ଛୁଇଁଲାଣି । ଗତବର୍ଷ ତୁଳନାରେ ବର୍ତ୍ତମାନ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ୱର ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଡେଙ୍ଗୁ ୪ ପ୍ରକାରର ରହିଥିବା ବେଳେ ଏବେ ଟାଇପ-୨ ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପକ୍ଷେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୁନା ସିକ୍ୟୁଏନସିଂ ହୋଇଛି । ୭୦ ପ୍ରତିଶତ ନମୁନା ଡେଙ୍ଗୁ-୨ ଚିହ୍ନଟ ହୋଇଛି ବୋଲି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ର ପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *