ରି-ଆଡମିସନ ଫି’ ନାଁରେ ମୋଟ ୧୫ ହଜାର ୫୩୫ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ
1 min read
ରେଙ୍ଗାଲିକ୍ୟାମ୍ପ:ସାଇବର ଠକମାନେ ଏବେ କଲେଜ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଟାର୍ଗେଟ କରୁଛନ୍ତି। ବରଗଡ଼ ଜିଲ୍ଲାର ଲରମ୍ଭା କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଦୁଇ ଛାତ୍ରୀଙ୍କ ଅଭିଭାବକଙ୍କଠାରୁ ରି-ଆଡମିସନ ଫି’ ନାଁରେ ମୋଟ ୧୫ ହଜାର ୫୩୫ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅତାବିରା ଥାନାରେ ଅଭିଯୋଗ ଦାଖଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କୁଲୁଣ୍ଡା ଗ୍ରାମର ପ୍ରେମାନନ୍ଦ ସିଂ ନିଜ ଝିଅ ଶ୍ରୁତି ସିଂଙ୍କୁ ହଷ୍ଟେଲରେ ଛାଡ଼ି ଘରକୁ ଫେରିବା ପରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ କଲେଜ ସହ ଜଡ଼ିତ ବୋଲି ପରିଚୟ ଦେଇ ୧୦ ମିନିଟ୍ ମଧ୍ୟରେ ୮,୫୩୫ ଟଙ୍କା ନଦେଲେ ରି-ଆଡମିସନ ହେବ ନାହିଁ ବୋଲି କହିଥିଲା। ଏହାପରେ ସେ ୟୁପିଆଇ କ୍ୟୁଆର କୋଡ୍ ମାଧ୍ୟମରେ ପର୍ଯ୍ୟାୟକ୍ରମେ ଟଙ୍କା ପଠାଇଥିଲେ।ଟଙ୍କା ପଠାଇବା ପରେ ମୋବାଇଲରେ ଅନ୍ୟ ନାମ ଦେଖାଯିବାରୁ ସନ୍ଦେହ ହୋଇଥିଲା। ପରେ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଏହା ସାଇବର ଠକେଇ ବୋଲି ଜଣାପଡ଼ିଥିଲା। ସେ ତୁରନ୍ତ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସେହିପରି ସୋନପୁର ଜିଲ୍ଲାର ନାରାୟଣ କମିଲଙ୍କୁ ମଧ୍ୟ ସମାନ ଢଙ୍ଗରେ ଫୋନ୍ କରି ତାଙ୍କ ଝିଅ ସାଧନା କମିଲଙ୍କ ରି-ଆଡମିସନ ନାଁରେ ୭ ହଜାର ଟଙ୍କା ଠକି ନିଆଯାଇଛି। ସେ ମଧ୍ୟ ଏନେଇ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।


