July 27, 2024

ଏକାମ୍ରକାନନରେ ରାଜ୍ୟସ୍ତରୀୟ ବାର୍ଷିକ ‘ ପୁଷ୍ପ ପ୍ରଦର୍ଶନୀର’, ଉଦ୍‌ଯାପନୀ ଉତ୍ସବ ରେ ଲୋକ ଙ୍କ ଭିଡ

1 min read

ଭୁବନେଶ୍ୱର: ଭଳିକି ଭଳି ଫୁଲ, ଭଳିକି ଭଳି ରଙ୍ଗ। କିଏ ରିଲ ବନଉଛି ତ କିଏ ସେଲ୍‌ଫି ଉଠାଉଛି। ତେବେ ଲମ୍ବା ଧାଡ଼ି ଲାଗିଛି ବିନା ମାଟିରେ ବଢ଼ୁଥିବା ଗଛ ପାଖରେ। ଶିଶୁଙ୍କ ଠାରୁ ବୟସ୍କ, ଗୃହିଣୀଙ୍କ୍ ଠାରୁ ଆରମ୍ଭ କରି ଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଭିଡ଼ ସେଇଠି। ରିଜଓନାଲ୍ ପ୍ଳାଣ୍ଟ ରିସୋର୍ସ ସେଣ୍ଟର୍‌ (ଆରପିଆରସି) ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ ପକ୍ଷରୁ ଏକାମ୍ରକାନନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀର ଉଦ୍‌ଯାପନୀ ଉତ୍ସବରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ରବିବାର ଥିବାରୁ ଆଜି ଏଠାରେ ପ୍ରବଳ ଭିଡ଼ ହୋଇଥିଲା। ପ୍ରାୟ ୪୦ ହଜାରରୁ ଅଧିକ ଲୋକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ପ୍ରଦର୍ଶନୀରେ ମନ୍ଦାର ଓ ଅର୍କିଡ ଫୁଲର ଗେଟ, ଫୁଲରେ ଜଗନ୍ନାଥଙ୍କ ପ୍ରତିଛବି ପ୍ରମୁଖ ଆକର୍ଷଣ ସାହିଥିଲା।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ କେ ମୃଗସେନ, ରିଜଓନାଲ୍ ପ୍ଳାଣ୍ଟ ରିସୋର୍ସ ସେଣ୍ଟର୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେଶ ପନ୍ତ, ପ୍ରଶାସନିକ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରେଷ ପୁଷ୍ପ ପ୍ରଦର୍ଶନ କରିଥିବା ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ସାଧାରଣ ଲୋକ, କାର୍ଯ୍ୟନୁଷ୍ଠାନକୁ ପୁରସ୍କୃତ କରିଥିଲେ। ଓଡ଼ିଶା ଖଣି ନିଗମ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉତ୍ସବର ଚାମ୍ପିଅନ ଟ୍ରଫି ଜିତି ବିଜେତା ଘୋଷିତ ହୋଇଛି। ନିଗମର କ୍ୟାମ୍ପସ୍ -୧ ମଧ୍ୟମ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତି ସଫଳତା ହାସଲ କରିଥିବା ବେଳେ କ୍ୟାମ୍ପସ୍-୨ ବୃହତ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ହାସଲ କରିଛି। ବିଭିନ୍ନ ବର୍ଗରେ ମୋଟ ୫୪ ଟି ପୁରସ୍କାର ହାତେଇବାରେ ସଫଳ ହୋଇଛି।

ଯୁବ ପିଢ଼ିଙ୍କ ପସନ୍ଦ ଅର୍କିଡ୍‌ ଓ ସିନ୍ଥିୟମ୍‌
ପ୍ରଦର୍ଶନୀର ଶେଷ ଦିନରେ ଆଜି ଅର୍କିଡ ଓ ସିନ୍ଥିୟମ ଚାରା କିଣିବା ପାଇଁ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଦୋକାନୀମାନେ ଚାରା ସହିତ କୋକୋପିଟ ଓ ଅନ୍ୟାନ୍ୟ ଖତ ମଧ୍ୟ ବିକ୍ରି କରୁଥିଲେ। ଚାରା ଗୁଡ଼ିକର ଦାମ୍‌ ୧୫୦ ଟଙ୍କାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଥିଲା।

ଭାଣ୍ଡା ଭେରାଇଟି ପ୍ଲାଣ୍ଟ
କମ ଜାଗାରେ ବିନା ମାଟିରେ ବଢ଼ୁଥିବା ଭାଣ୍ଡା ଭେରାଇଟି ପ୍ଲାଣ୍ଟ କିଣିବାକୁ ଲୋକ ଭିଡ଼ ଜମାଇଥିଲେ। ଏହାକୁ ସୋ ପିସ୍‌ ଭଳି ଟାଙ୍ଗି ହେବ। ଏଥିରେ କେବଳ ଦିନକୁ ଥରେ ପାଣି ସ୍ପ୍ରେ କରିବାକୁ ପଡ଼ିବ। କେନ୍ଦୁଝରର ଅକ୍ରିଡ ବ୍ଲୁମସ୍‌ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଏହି ପ୍ଲାଣ୍ଟ ସାଇଜ ଅନୁସାରେ ୮୦୦ଟଙ୍କାରୁ ଆରମ୍ଭ ହୋଇ ୨୭୦୦୦ ପର୍ଯ୍ୟନ୍ତ ରହିଥିଲା। ଗଛ ଯେପରି କାନ୍ଥରେ ମଧ୍ୟ ବଢ଼ିପାରିବ ସେଥିପାଇଁ ପ୍ଲାଣ୍ଟ ଗ୍ରୋ ବ୍ୟାଗ ମଧ୍ୟ ବିକ୍ରି ହେଉଥିଲା। ଏଗୁଡ଼ିକ ମୂଲ୍ୟ ୧୦୦ରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା।

ପ୍ରଦୂଷଣ ମୁକ୍ତ ଗୃହ ଉପକରଣ
ପୁରୁଣା ଭୁବନେଶ୍ୱର ସ୍ଥିତ ଜଗନ୍ନାଥପୁରର ସାଇ ଶ୍ରଦ୍ଧା ହସ୍ତଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ନଡ଼ିଆ କତାରେ ପ୍ରସ୍ତୁତ ଝୁଡ଼ି, ଚଢ଼େଇ ବସା, ମନି ପ୍ଲାଣ୍ଟ ଗ୍ରୋ ଷ୍ଟିକ, ପ୍ଲାଣ୍ଟ ଗ୍ରୋ ବ୍ୟାଗ କିଣିବାକୁ ମହିଳାମାନେ ଧାଡ଼ି ବାନ୍ଧିଥିଲେ। ଏହି ଜିନିଷଗୁଡ଼ିକର ଦାମ ୨୦ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Leave a Reply

Your email address will not be published. Required fields are marked *