ଏସିଡ ପକାଇ ମାରିବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ
1 min read
ବାଲେଶ୍ବର : ନବ ବିବାହିତା ପତ୍ନୀଙ୍କୁ ଏସିଡ ପକାଇ ମାରିବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ। ମାମଲାର ବିଚାର କରି ବାଲେଶ୍ବରର ସ୍ବତନ୍ତ୍ର ଏସସି/ଏସଟି ପିଓଏ ଆକ୍ଟ ଜଜ ଅବଦୁଲ ସମିମ ଅକତର ଅଭିଯୁକ୍ତ ସ୍ବାମୀ ଚନ୍ଦନ କୁମାର ରଣାକୁ ଦୋଷୀ ସାବ୍ୟସ୍ତ ସହ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।
ସୂଚନାନୁସାରେ ନୀଳଗିରି ଥାନା ସନ୍ତରାଗଡ଼ିଆ ନୟାପାଟଣା ଗ୍ରାମର ଚନ୍ଦନ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଗ୍ରାମର ଏକ ଗହଣା ଦୋକାନରେ କାରିଗର ଭାବେ କାର୍ଯ୍ୟ କରୁଥିଲା। ପତ୍ନୀ ଓ ସନ୍ତାନ ଥିବା ସତ୍ତ୍ବେ ସ୍ଥାନୀୟ ଅଞ୍ଚଳର କାର୍ତ୍ତିକ ସିଂଙ୍କ ସାନଝିଅ ବନିତା ସିଂ(୨୦)ଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୨୦୨୩ ମସିହା ଜାନୁଆରୀ ମାସରେ ଉଭୟେ ବିବାହ କରିଥିଲେ। ମାତ୍ର ପୂର୍ବରୁ ଚନ୍ଦନ ବିବାହିତ ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏମିତିକି ଶ୍ବଶୁର ଘର ନୟାପାଟଣାରୁ ପଳାଇଆସି ବନିତା ବାପଘର ଗାଁ ଭୀମପୁରାରେ ଭଡ଼ା ଘରେ ରହୁଥିବା ବଡ଼ ଭଉଣୀ ବର୍ଷାଙ୍କ ପାଖରେ ଆଶ୍ରୟ ନେଇଥିଲେ। ପରେ ସହଦେବଖୁଣ୍ଟା ଥାନାରେ ଚନ୍ଦନ ବିରୋଧରେ ଏକ ଏତଲା ମଧ୍ୟ ଦେଇଥିଲେ। ବନିତାଙ୍କୁ ନେବାକୁ ଉଦ୍ୟମ କରି ଚନ୍ଦନ ବାରମ୍ବାର ବିଫଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ୨୦୨୩ ଫେବୃଆରୀ ୧୯ରେ ଚନ୍ଦନ ବନିତାଙ୍କ ଉପରକୁ ଏସିଡ ଫୋପାଡ଼ିଥିଲା। ଏଥିରେ ବନିତାଙ୍କ ସମେତ ବଡ଼ ଭଉଣୀ ବର୍ଷା ଓ ତାଙ୍କର ୫ ବର୍ଷର କନ୍ୟା ଏବଂ ୮ ମାସର ଶିଶୁପୁତ୍ର ମଧ୍ୟ ଆହତ ହୋଇଥିଲେ। ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବନିତାଙ୍କର ମୃତ୍ୟୁ ହୋଇଥିଲା। ବନିତାଙ୍କ ପିତାଙ୍କ ଏତଲା କ୍ରମେ ସହଦେବଖୁଣ୍ଟା ଥାନା ପୁଲିସ ୫୬/୨୦୨୩ ନମ୍ବର ମାମଲା ରୁଜୁ ସହ ଚନ୍ଦନକୁ ଗିରଫ କରିଥିଲା।


