May 10, 2025

ଆଜିଠାରୁ ନୂଆ ବାସଭବନରେ ରହିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ନୂଆ ସରକାରୀ ବାସଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ସେ ଗାନ୍ଧୀ ମାର୍ଗ କ୍ଵାର୍ଟରରେ ରହୁଥିବାବେଳେ ଏବେ ଏଜି ଛକ ନିକଟସ୍ଥ ଏହି ବାସଭବନରେ ରହିବେ।

ଗୁରୁବାର ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ବାସଭବନରେ ପୂଜାର୍ଚ୍ଚନା କରିଥିଲେ। ପ୍ରଥମେ ୨ଟି ଗାଈ ନନ୍ଦା ଏବଂ ନନ୍ଦିନୀଙ୍କୁ ପୂଜା କରି ଗୃହରେ ପ୍ରବେଶ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ଘରେ ପ୍ରବେଶ କରିଥିଲେ।

ଦୀର୍ଘ ୨୫ ବର୍ଷ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏହି ଆବାସ ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ଗତ ୮ ମାସ ଧରି ଏହାର ମରାମତି କାମ ଚଳୁଥିଲା। ୨ ମହଲା ବିଶିଷ୍ଟ ଏହି ଘରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି। ଘର ଆଗରେ ବଡ଼ ବଗିଚା ମଧ୍ୟ ରହିଛି।

ଏହି ଘରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଶେଷ ଥର ପାଇଁ ରହିଥିଲେ। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ବ୍ୟକ୍ତିଗତ ବାସଭବନରେ ରହିଥିଲେ।