ପଲାସା ସହର ନିକଟରେ କାର ଦୁର୍ଘଟଣାଗ୍ରସ୍ତ
1 min read
ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର ପାରଳାଖେମୁଣ୍ଡି ସହର କରଣସାହି ନିବାସୀ ମୁକେଶ ପାଣିଗ୍ରାହୀ (୫୩)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ମୁକେଶ ସାଙ୍ଗ ସାଥୀଙ୍କ ସହ ଶ୍ରୀକ୍ଷେତ୍ର ଯାଇ ଜଗା ଦର୍ଶନ କରି ଫେରୁଥିଲେ । ହେଲେ ଆସିବା ବେଳେ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ପଲାସା ସହର ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ରାସ୍ତାର ଡିଭାଇଡରକୁ ଚଢି ଯାଇ ବିପରୀତ ରାସ୍ତାରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ କାରରେ ବସିଥିବା ମୁକେଶ, ତାଙ୍କ ସାଙ୍ଗ ଅମୂଲ୍ୟ ପାତ୍ର ଏବଂ ଚାଳକ ଗୁରୁତର ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ୯ ଦିନ ପରେ ଚାଳକ ଜଣକ ସୁସ୍ଥ ହୋଇଥିବା ବେଳେ ମୁକେଶଙ୍କୁ ଅଧିକା ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୁକେଶ ଦୁର୍ଘଟଣା ପରଠାରୁ କୋମା ସ୍ଥିତିରେ ଥିଲେ । ଏହି ଖବର ପାରଳାଖେମୁଣ୍ଡିରେ ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ରାକେଶ ପାଣିଗ୍ରାହୀ, ମୁନା ପରିଚ୍ଛା ଗଭୀର ଶୋକ ପ୍ରକାଶ କରିଛନ୍ତି।


