July 27, 2024

ବରମୁଣ୍ଡା ଖାଓଗଳିରେ ୫ ଜଣଙ୍କୁ ରକ୍ତାକ୍ତ ଆକ୍ରମଣ

1 min read

ଭୁବନେଶ୍ବର: ଆଜି ରାତି ପ୍ରାୟ ୯ଟା ବେଳେ ରକ୍ତରଞ୍ଜିତ ହୋଇପଡ଼ିଥିଲା ବରମୁଣ୍ଡା ଖାଓଗଳି। ଗୋଟିଏ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ବ ଯୁବକ ପ୍ରତିପକ୍ଷର ୫ ଜଣଙ୍କୁ ରକ୍ତାକ୍ତ ଆକ୍ରମଣ କରିଛନ୍ତି। କାହାକୁ ଖଣ୍ଡାରେ ହାଣିଛନ୍ତି ତ କାହାକୁ ରଡ୍‌ରେ ପିଟି ଲହୁଲୁହାଣ କରିଛନ୍ତି। ଦରମରା ଅବସ୍ଥାରେ ୫ ଯୁବକଙ୍କୁ ଛାଡ଼ି ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଛନ୍ତି। ଆକ୍ରମଣକାରୀ ଓ ଆହତମାନଙ୍କ ପରିଚୟ ମିଳିପାରିନାହିଁ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ୪ଟି ଭଙ୍ଗା ବାଇକ୍‌ ଜବତ କରିଛି।

ଜବତ ବାଇକ୍‌ଗୁଡ଼ିକରୁ ଆହତ ଓ ଆକ୍ରମଣକାରୀଙ୍କ ପରିଚୟ ପାଇବାକୁ ପୁଲିସ ଉଦ୍ୟମ ଚଳାଇଛି। ବରମୁଣ୍ଡା ଅଞ୍ଚଳର ଏକ ଜଣାଶୁଣା ଗ୍ୟାଙ୍ଗ୍ ଏହି ଗଣ୍ଡଗୋଳରେ ଥିବା ଚର୍ଚ୍ଚା ହେଉଛି। ଚିକିତ୍ସାଧୀନ ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପୁଲିସ ପଚରାଉଚରା କରୁଛି। ବରମୁଣ୍ଡା, ନୂଆପଲ୍ଲୀ ଅଞ୍ଚଳର ତଥାକଥିତ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗର ସଦସ୍ୟମାନେ ହିଁ ଆକ୍ରମଣର ଶିକାର ହୋଇଥିବା ଆଲୋଚନା ହେଉଛି।
ସ୍ଥାନୀୟ ଚର୍ଚ୍ଚାନୁସାରେ ଏକ ରାଜନୈତିକ ଦଳୀୟ କାର୍ଯ୍ୟକ୍ରମରୁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଗତକାଲି ଗଣ୍ଡଗୋଳର ମୂଳଦୁଆ ପଡ଼ିଥିଲା। ସବୁଦିନ ଭଳି ଆଜି ଗୋଟିଏ ଗୋଷ୍ଠୀର ୫/୭ ଜଣ ଖାଓଗଳିରେ ବସି ଖଟି କରୁଥିଲେ। ଏହି ସମୟରେ ୫/୬ ବାଇକ୍‌ରେ ପହଞ୍ଚିଥିଲେ ୧୦/୧୨ ଯୁବକ। ସେମାନଙ୍କ ହାତରେ ଖଣ୍ଡା, ରଡ୍‌ ଭଳି ମାରଣାସ୍ତ୍ର ଥିଲା। କେହି କିଛି ବୁଝିବା ପୂର୍ବରୁ ସେମାନେ ଖଟି କରୁଥିବା ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ଯୋଗୁଁ କେହି ଖସିପାରିନଥିଲେ।

ଆକ୍ରମଣକାରୀମାନେ ଆଖିବୁଜା ପିଟି ଚାଲିଥିଲେ। ୫ଜଣଯାକ ଜୀବନ ବିକଳରେ ଦୋକାନୀମାନଙ୍କ ଠେଲା ଭିତରକୁ ପଶିଯାଉଥିଲେ ବି ଆକ୍ରମଣକାରୀମାନେ ସେମାନଙ୍କୁ ଘୋଷାରି ଆଣି ପିଟୁଥିଲେ। ଭୟରେ ଖାଉଥିବା ଗ୍ରାହକମାନେ ଖାଇବା ଫୋପାଡ଼ି ଦୌଡ଼ିଥିବା ବେଳେ ଦୋକାନୀମାନେ ବି ଦୋକାନ ଛାଡ଼ି ଧାଇଁଥିଲେ। ଧାଁ ଧଉଡ଼ ଭିତରେ ବହୁ ଗ୍ରାହକ ପଡ଼ିଉଠି ଆହତ ହୋଇଥିବା ଜଣାପଡ଼ିଛି। ମାତ୍ର ୫/୭ ମିନିଟ୍‌ ଭିତରେ ଖାଓଗଳି ଜନଶୂନ୍ୟ ହୋଇପଡ଼ିଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଆକ୍ରମଣକାରୀମା‌ନେ ପାର୍‌ ହୋଇସାରିଥିଲେ।

Leave a Reply

Your email address will not be published. Required fields are marked *