November 7, 2025

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବ୍ରହ୍ମପୁର ଏସପି

1 min read

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ବ୍ରହ୍ମପୁର ଏସପି। ହାଇକୋର୍ଟ ପୂର୍ବରୁ ଏସପିଙ୍କୁ ରିପୋର୍ଟ ତଲବ କରିଥିବାବେଳେ ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଜାରି କରିଛନ୍ତି। ସେହିଦିନ ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ତାହାର ନିଷ୍ପତ୍ତି ହେବ। ତେବେ ଏହା ପୂର୍ବରୁ ଏସପି ନିଜର ଉତ୍ତର ଆସନ୍ତା ୧୦ ତାରିଖରେ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲା ପର୍ଦ୍ଦାଫାଶ ସମୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ନିର୍ବାଚନ ମାମଲା କଥା ଉଠାଇଥିଲେ। ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସପି ମନ୍ତବ୍ୟ ଦେଇଥିଲେ। ଏସପି ବିକ୍ରମ ପଣ୍ଡା ଏବଂ ଶିବଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିବା ନେଇ ଟିପ୍ପଣୀ ଦେଇଥିଲେ। ଏସପି କହିଥିଲେ, ଏହି କମନ ଲିଙ୍କ୍‌ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ନିର୍ବାଚନୀ ମାମଲା। ଶିବଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ। ଏସପିଙ୍କ ଏହି ଟିପ୍ପଣୀ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା। ଏହାକୁ ନେଇ ଗତ ୩୧ ତାରିଖରେ ହାଇକୋର୍ଟ ଖପ୍ପା ହେବା ସହିତ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ।
ବ୍ରହ୍ମପୁର ଏସପିଙ୍କ ଅଡୁଆ ବଢ଼ିଲା, ୧୧ରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦେଶ