July 27, 2024

ଚଳଚଞ୍ଚଳ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ

1 min read

ଆରଡି: ଚଳଚଞ୍ଚଳ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜିତ କରାଯାଇଥିବା ବେଳେ ଫୁଲରେ ସଜ୍ଜିତ କରାଯାଉଛି। ସୋମବାର ବୈଦିକ ରୀତିନୀତି ଅନୁଯାୟୀ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ସମ୍ପନ୍ନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାୟରେ ପହଁଚିଛି। ମଙ୍ଗଳବାର ବୈଦିକ ରୀତିନୀତି ଓ ଲୋକାଚାରରେ ଦେବଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ।


ଲୌକିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ମଙ୍ଗଳପାଗ କର୍ମ ସମ୍ପନ୍ନ କରାଯିବ। ଏଥିପାଇଁ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ। ଏହା ପରେ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଏକ ସୁସଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହରପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିବେ। ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କଳାକାର ସୋମବାର ଆରଡିପୀଠରେ ପହଁଚିବେ।


ମଙ୍ଗଳବାର ସକାଳ ୧୦ଟାରେ ବରଧରା ଗମନ ସହ ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ତାହାସହ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ରାଜରାଜେଶ୍ୱର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ । ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *