ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪ ମଞ୍ଚରେ ପୁରସ୍କୃତ
1 min read
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪ ମଞ୍ଚରେ ପୁରସ୍କୃତ ହେଲା ଓଡ଼ିଶା। ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ମିଳିଛି ରୌପ୍ୟ ପଦକ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ବୁଧବାର ଦିନ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲା ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଓଡ଼ିଶା ମଣ୍ଡପର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ଓ ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି। ଚଳିତ ବର୍ଷ ଓଡ଼ିଶା ଲଗାତର ଭାବେ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ପୁରସ୍କୃତ ହୋଇଛି।
‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା।