September 12, 2024

ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ କରିପାରିବେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ

1 min read

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନା ଆବେଦନକୁ ନେଇ ପ୍ରତିଦିନ ଗୋଟିଏ ଗୋଟିଏ ଖରବ ଆସିବାକୁ ଲାଗିଛି। ଏହି ଯୋଜନାକୁ ନେଇ ଆଉ ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ‘ସୁଭଦ୍ରା’ ଯୋଜନା ପାଇଁ ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଆବେଦନ କରିପାରିବେ। ଏହା ସହ ଅଙ୍ଗନବାଡ଼ି ସହାୟିକା, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ଏମବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ଆବେଦନ କରିପାରିବେ ବୋଲି ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ସମସ୍ତ ମାନଦଣ୍ଡରେ ଯୋଗ୍ୟ ବିବେଚିତ ହେଉଥିବା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଲାଭ ମିଳିପାରିବ। ସୁଭଦ୍ରା ଯୋଜନା ସମ୍ପର୍କୀତ ସମସ୍ତ ତଥ୍ୟ ପାଇବା ପାଇଁ ଟୋଲ-ଫ୍ରି ନମ୍ବର ଜାରି କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ୍-ଫ୍ରି ନମ୍ବର ୧୪୬୭୮ କୁ କଲ୍ କରି ‘ସୁଭଦ୍ରା’ ଯୋଜନା ବିଷୟରେ ସମସ୍ତ ସୂଚନା ପାଇହେବ। ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

‘ସୁଭଦ୍ରା’ ଯୋଜନା ପାଇଁ ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିହେବ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଆବେଦନ କରିପାରିବେ। ଏହା ସହ ‘ସୁଭଦ୍ରା’ ପୋର୍ଟାଲରେ ଅନଲାଇନ୍ ଫର୍ମ ପୂରଣ କରି ଆବେଦନ କରିହେବ। ‘ସୁଭଦ୍ରା’ ଯୋଜନା ଲାଗି ଆବେଦନ କରିବା ଲାଗି ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖ ଗ୍ରହଣ ଯୋଗ୍ୟ। ଡକ୍ୟୁମେଣ୍ଟ ହିସାବରେ ନିଜର କିମ୍ବା ସ୍ୱାମୀ ବା ବାପାଙ୍କର ଇନକମ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ରାସନକାର୍ଡ ଥିଲେ ମଧ୍ୟ ଦେବାକୁ ପଡ଼ିବ। ଆବେଦନକାରୀଙ୍କ ପରିବାରର ଆୟ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ହୋଇଥିଲେ, ସେମାନେ ଏହି ଯୋଜନାରୁ ବାଦ୍ ପଡ଼ିବେ। ସମସ୍ତ ପ୍ରମାଣପତ୍ର ଦେଇ ଆବେଦନ କରିବା ପରେ ଇ-କେଓ୍ଵାଇସି ଦାଖଲ କରିବାକୁ ହେବ।

ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏହି ଯୋଜନାରୁ ବାଦପଡ଼ିଲେ, ହିତାଧିକାରୀ ‘ସୁଭଦ୍ରା’ ପୋର୍ଟାଲରେ ଅଭିଯୋଗ କରିପାରିବେ। ଏହା ସହ ଜିଲ୍ଲା ଏବଂ ବ୍ଳକସ୍ତରରେ ହେବାକୁ ଥିବା ‘ସୁଭଦ୍ରା’ ଶିବିରରେ ସିଧାସଳଖ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିହେବ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ଶୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *