March 31, 2026

ସେବାନିବୃତ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଅନୁଷ୍ଠାର ବାର୍ଷିକ ସାଂସ୍କୃତିକ ଉତ୍ସବ

1 min read

ଭୁବନେଶ୍ୱର: ଆଜି ସନ୍ଧ୍ଯାରେ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ଓଡିଶୀ ରିସର୍ଚ୍ଚ ସେଣ୍ଟର ପ୍ରେକ୍ଷାଳୟରେ ବରିଷ୍ଠ ସେବାନିବୃତ୍ତ ବ୍ୟାଙ୍କ ଅଫିସରମାନଙ୍କ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବ୍ଯବସାୟୀକ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ, ନାବାର୍ଡରୁ ସେବାନିବୃତ୍ତ ହୋଇଥିବା ବରିଷ୍ଠ ଅଧିକାରୀଙ୍କ ଏହି ସଂସ୍ଥା ଗତ ୨୫ ବର୍ଷ ଧରି ସମାଜ ସେବା ଓ ଅନ୍ଯାନ୍ଯ ଗଠନମୂଳକ କାର୍ଯ୍ଯରେ ସଂଶ୍ଲିଷ୍ଟ ହେବା ସହିତ କ଼ଳା, ସାହିତ୍ଯ, ସଂଗୀତ, ନାଟକ ଆଦି କ୍ଷେତ୍ରରେ ମଧ୍ଯ ସକାରାତ୍ମକ ଯୋଗଦାନ ଦେଇ ଆସିଛି। ଏ ବର୍ଷର ବାର୍ଷିକ ଉତ୍ସବ ମନୋରଞ୍ଜନ କାର୍ଯ୍ଯକ୍ରମରେ ଭରପୁର ଥିଲା। ପ୍ରଥମେ ଜଗନ୍ନାଥ ବନ୍ଦନା ପରେ, ଡ଼ଃ ଗୀତିକା ପଟ୍ଟନାୟକ କି ବୋର୍ଡରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ତତ୍ ପଶ୍ଚାତ ସୁଲଳିତ କଣ୍ଠରେ ଅନୁଷ୍ଠାନର ସଭ୍ଯ ଓ ସଭ୍ଯାମାନେ ସଂଗୀତ ପରିବେଷଣ କରିଥିଲେ। ବାଦ୍ଯ ସଂଗୀତ, ବିଭିନ୍ନ ଶୈଳୀର ନୃତ୍ଯ ଓ କବାଲି ଆଦି କାର୍ଯ୍ଯକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ବହୁତ ଆନନ୍ଦ ଦେଇଥିଲା। ପ୍ରଖ୍ଯାତ ନୃତ୍ଯଶିଳ୍ପୀ ଶ୍ରୀମତୀ ସିକତା ଦାସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ଛୋଟ ମୋର ଗାଁ ଟି’ ଉଚ୍ଚ ପ୍ରଶଂସିତ ହୋଇଥିଲା।

କାର୍ଯକ୍ରମର ମୁଖ୍ଯ ଆକର୍ଷଣ ଥିଲା ଅନୁଷ୍ଠାନର ସଦସ୍ଯ ମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ‘ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ’ ସୁବାସ ମହାପାତ୍ରଂକ ଦ୍ୱାରା ରଚିତ ଏହି ବ୍ୟଙ୍ଗାତ୍ମକ ନାଟକର ନିର୍ଦ୍ଦେଶନା ଦେଇଥିଲେ ଜଗଦାଶ ମହାରଣା, ମାନସ ପରିଡା ଓ ଅମରଦୀପ ମହାନ୍ତି। ନାଟକର କଥାବସ୍ତୁ ରାଜତନ୍ତ୍ର ପୃଷ୍ଠଭୂମିରେ ଆଧାରିତ। ଭୋଗବିଳାସରେ ଲିପ୍ତ ରହି, ଦୁର୍ନୀତିଗ୍ରସ୍ତ, ଚାଟୁକାର ସଭାସଦ ମାନଙ୍କ କୁପରାମର୍ଶକୁ ଅନ୍ଧଭାବରେ ଗ୍ରହଣ କରି ରାଜା କିପରି ପ୍ରଜାମାନଙ୍କୁ ଶୋଷଣ କରୁଥିଲେ, ଏହା ନାଟକରେ ଚିତ୍ରିତ ହୋଇଛି। ପରିଶେଷରେ ମହାରାଣୀଙ୍କ ନେତୃତ୍ୱରେ ବିଦ୍ରୋହର ସୁତ୍ରପାତ ହୋଇ ଗଣତନ୍ତ୍ର ବ୍ଯବସ୍ଥାର ସ୍ଥାପନା କରାଯାଇଛି ଓ ରାଜ୍ଯରେ ଶାନ୍ତି ଫେରି ଆସିଛି। ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ନିଖୁଣ ଅଭିନୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲେ। ଅନୁଷ୍ଠାନର ସଭାପତି ଅମୃତନାଥ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ଡ଼ଃ ମନୋରଞ୍ଜନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।