May 21, 2026

ଜୁଣବଳଦା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ ହୋଇଛି

1 min read

ଅମର୍ଦ୍ଦାରୋଡ଼: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଜୁଣବଳଦା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଜଣେ ଯୁବକକୁ ଭୁଜାଲିରେ ଆକ୍ରମଣ ହୋଇଛି। ଫଳରେ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଜୁଣବଳଦା ଗ୍ରାମର କମଳାକାନ୍ତ ମଲ୍ଲିକ ଙ୍କ ପୁଅ ସଂଜିତ(୨୪)।

ସୂଚନା ଅନୁଯାୟୀ, ବୁଧବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ସଂଜିତଙ୍କ ସହିତ ଉକ୍ତ ଛକରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହିତ ପ୍ରଥେମେ କଥା କଟାକଟି ପରେ ସେମାନଙ୍କ ମଧ୍ୟରୁ ଜଣେ ଭୁଜାଲିରେ ସଂଜିତର ଛାତି, ପେଟ, ହାତ ଓ ମୁଣ୍ଡରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସଂଜିତକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ୩ ଜଣକୁ ବିଭିନ୍ନ ସ୍ଥାନରୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିପାରି ନଥିବା ବେଳେ ଅନ୍ୟ ଦୁଇ ଜଣ ହେଲେ ଶିଖରପୁର ଅଞ୍ଚଳର ବାପି ଓରଫ୍ ଚିତ୍ତରଞ୍ଜନ ପ୍ରଧାନ ଓ ପଦିମା ଗ୍ରାମର ଅନିକେତ ପାତ୍ର। ଖବର ଲେଖା ହେବା ବେଳକୁ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ସହ ରାଜପଥ ଅବରୋଧ ଯୋଗୁ ରାଜପଥର ଦୁଇପାର୍ଶ୍ଵରେ ହଜାର ହଜାର ଗାଡି ମଟର ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ଥିବାର ଦେଖିବାକୁ ମିଳିଛି।