June 8, 2025

ଏକ ପରିତ୍ୟକ୍ତ ଘରେ ବୋମା ବିସ୍ଫୋରଣ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ

1 min read

ବୋଲଗଡ଼: ଏକ ପରିତ୍ୟକ୍ତ ଘରେ ବୋମା ବିସ୍ଫୋରଣ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମିଲି ବେଗମ (୨୭)। ଏଥିରେ ମୃତା ମହିଳାଙ୍କ ମାଉସୀ ଅମିନା ବିବି (୩୫) ଓ ତାଙ୍କ ଝିଅ ରୁକ୍‌ସାନା ବେଗମ (୧୦) ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି। ବୋଲଗଡ଼ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଘଟିଛି ଏହି ଅଘଟଣ।

ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳଙ୍କ ସୂଚନା ଅନୁଯାୟୀ ଶନିବାର ଅପରାହ୍ଣରେ ଏହି ଅଘଟଣ ଘଟିଛି। ତେବେ ବାଣ ନା ବୋମା ଯୋଗୁ ଏହି ବିସ୍ଫୋରଣ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଖୋର୍ଦ୍ଧାରୁ ଆସିଥିବା ବୋମା ନିଷ୍କ୍ରିୟକାରୀ ଦଳ ଘଟଣାର ଅନୁସନ୍ଧାନ କରି ଫେରିଯାଇଥିବା ବେଳେ ଆସନ୍ତାକାଲି ରବିବାର ପୁଣି ବୋମା ନିଷ୍କ୍ରିୟକାରୀ ଦଳ ଆସି ତନଖି କରିବେ ବୋଲି ଜଣାପଡ଼ିଛି। ଏଥିସହିତ ସାଇଣ୍ଟିଫିକ ଟିମ୍ ତଦନ୍ତ କରିବା ପରେ ମୃତା ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ଅନ୍ୟପକ୍ଷରେ ବିସ୍ଫୋରଣ ଘଟିଥିବା ସ୍ଥାନରେ ଆଉ କିଛି ବିସ୍ଫୋରକ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ ରହିଛନ୍ତି।

ଥାନାରେ ମୃତା ମହିଳାଙ୍କ ପିତା ସେଖ ସୁକୁରଙ୍କ ଅଭିଯୋଗ ଅନୁଯାୟୀ, ସେହି ପରିତ୍ୟକ୍ତ ଘରକୁ ତାଙ୍କ ଝିଅ ମିଲି ବେଗମ ଯାଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ମିଲିଙ୍କର ମୃତ୍ୟୁ ହେବା ସହ ନାତୁଣୀ ରୁକ୍‌ସାନା ବେଗମ ଓ ଶାଳୀ ଅମିନା ବିବି ଆହତ ହୋଇଥିଲେ। ସେହି ଘରେ କେହି ଅଜ୍ଞାତ ବ୍ୟକ୍ତି ବିସ୍ଫୋରଣ ସାମଗ୍ରୀ ରଖିଥିବା ସେଖ ସୁକୁର ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବୋଲଗଡ଼ ଥାନାରେ ମାମଲା ରୁଜୁ ହେବା ସହିତ ଘଟଣାର ଅନୁସନ୍ଧାନ ଜାରି ରଖିଛି ପୁଲିସ।