March 16, 2026

ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ

1 min read

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ମୋହନଗୁଡ଼ା ଗ୍ରାମର ଧନିଆ ମାଝୀ(୩୨) ଏବଂ ଗୁରୁତର ହେଲେ ହରେକୃଷ୍ଣପୁର ଗ୍ରାମର ସାମନ୍ତ ମାଝୀ(୨୫)।

ମିଳିଥିବା ସୂଚନା ମୁତାବକ, ମୋହନଗଡ଼ା ଗ୍ରାମର ଧନିଆ ମାଝୀ ଏବଂ ହରେକୃଷ୍ଣପୁର ଗ୍ରାମର ସାମନ୍ତ ମାଝୀ ଏକ ବାଇକ୍‌ ଯୋଗେ କୌଣସି କାମରେ ମାହନଗୁଡାରୁ ହରେକୃଷ୍ଣପୁର ଯାଉଥିଲେ। ସେତିକିବେଳେ ରଘୁନାଥପୁର ନିକଟରେ ଥିବା ଏକ ବୁଲାଣି ରାସ୍ତାରେ ବାଇକ୍‌ ଭାରସାମ୍ୟ ହରାଇ ଏକ ମନରେଗା ସୂଚନା ଫଳକରେ ପିଟିହୋଇ ଯାଇଥିଲା। ଫଳରେ ସେମାନେ ବାଇକ୍‌ରୁ ଛଟିକି ପଡି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଧନିଆଙ୍କୁ ମୃତ ଘୋଷଣା କରିଥିଲେ I ଗୁରୁତର ସାମନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଲାଞ୍ଜିଗଡ଼ ବ୍ଲକ ଚିକିତ୍ସା ଅଧିକାରୀ ଭବାନୀଶଙ୍କର ଲେଙ୍କା ସୂଚନା ପ୍ରଦାନ କରିଛନ୍ତି ।

ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏସ୍‌ଆଇ ଡୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ଲାଞ୍ଜିଗଡ଼ ପୋଲିସ ଏକ ମାମଲା(ନଂ.୯/୨୬) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ଆଇ ଡୋଳାମଣି ବିଶି ପ୍ରକାଶ କରିଛନ୍ତି।