ଏବେ ଖାତା ପେନସିଲରେ ପଢିବେ ପାଠ, ବଦଳିଲା କରୋନା ପରର ନିୟମ
1 min read
ଓସଲେ,୨୬।୧୧: ନରୱେ, ଯେଉଁ ଦେଶ ଦିନେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲା, ବର୍ତ୍ତମାନ ସେ ନିଜର ଏହି ପନ୍ଥା ଉପରେ ପୁନବିର୍ଚାର କରୁଛି। ଜଣେ ଶିକ୍ଷକ, ଯିଏ ତିନି ବର୍ଷ ପୂର୍ବେ ଶ୍ରେଣୀଗୃହରେ ଆଇପ୍ୟାଡ (iPads) ବଦଳରେ ପେନସିଲ ଓ ବହି ବ୍ୟବହାର କରି ପଢ଼ାଇବାକୁ ବାଛିଥିବାରୁ ସମାଲୋଚନାର ଶିକାର ହୋଇଥିଲେ, ଆଜି ସେ ଦେଖୁଛନ୍ତି ଯେ ସମଗ୍ର ଦେଶ ତାଙ୍କ ପଦାଙ୍କ ଅନୁସରଣ କରିବା ଆରମ୍ଭ କରିଛି।
ଏହି ଘଟଣାକ୍ରମ ୨୦୨୩ ମସିହାରେ ନରୱେର ରାଜଧାନୀ ଓସଲୋ ସ୍ଥିତ ‘ଟ୍ରୋଷ୍ଟେରୁଡ ସ୍କୁଲ’ (Trosterud School) ରୁ ଆରମ୍ଭ ହୋଇଥିଲା। ତୃତୀୟ ଶ୍ରେଣୀର ଶିକ୍ଷକ ପାଲ ଲୁଡଭିଗ ଫିନଷ୍ଟାଣ୍ଡ (େPାl Ludvig Finnstand) ଲକ୍ଷ୍ୟ କଲେ ଯେ, ତାଙ୍କ ଛାତ୍ରୀଛାତ୍ରମାନେ ଆଇପ୍ୟାଡର ବହୁଳ ବ୍ୟବହାର କରୁଥିଲେ ମଧ୍ୟ ସେମାନଙ୍କର ପଢ଼ିବା ଓ ଲେଖିବା ଦକ୍ଷତା କ୍ରମଶଃ ହ୍ରାସ ପାଉଥିଲା।
ପ୍ରାୟ ଦୁଇ ଦଶନ୍ଧି ଧରି ନରୱେର ବିଦ୍ୟାଳୟଗୁଡ଼ିକ କମ୍ପ୍ୟୁଟର ଓ ଟ୍ୟାବଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିଆସୁଥିଲେଏବଂ କୋଭିଡ-୧୯ ମହାମାରୀ ପରେ ଏହି ଧାରା ଆହୁରି ବ୍ୟାପକ ହୋଇଗଲା। ୨୦୨୩ ମସିହାରେ ଏକ ନୀତି ଲାଗୁ କରାଗଲା, ଯାହା ଅନୁଯାୟୀ ଓସଲୋର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଏକ ଡିଜିଟାଲ ଉପକରଣ ଯୋଗାଇ ଦେବା ବାଧ୍ୟତାମୂଳକ କରାଗଲା।
ପ୍ରଚଳିତ ବ୍ୟବସ୍ଥାର ବିରୋଧ କରି, ଫିନଷ୍ଟାଣ୍ଡ ନିଜ ଶ୍ରେଣୀଗୃହରୁ ଆଇପ୍ୟାଡ (iPads) ଗୁଡ଼ିକୁ ହଟାଇ ଦେଲେ ଏବଂ ପୁନର୍ବାର ଖାତା, ପେନସିଲ ଓ ବହି ବ୍ୟବହାର କରି ପଢ଼ାଇବା ଆରମ୍ଭ କଲେ। ତାଙ୍କର ବିଶ୍ୱାସ ଥିଲା ଯେ ପିଲାମାନଙ୍କ ମଧ୍ୟରେ ମୌଳିକ ବୁଝାମଣା ସୃଷ୍ଟି କରିବା ପାଇଁ ପାରମ୍ପରିକ ଶିକ୍ଷାଦାନ ପଦ୍ଧତି ସବୁଠାରୁ ଅଧିକ ଫଳପ୍ରଦ ଅଟେ। ତେବେ, ତାଙ୍କର ଏହି ନିଷ୍ପତ୍ତି ବିଦ୍ୟାଳୟରେ ଏକ ବିବାଦ ସୃଷ୍ଟି କଲା ଏବଂ ପ୍ରଧାନଶିକ୍ଷକ ତାଙ୍କୁ ଏକ ଲିଖିତ ଚେତାବନୀ ଦେଲେ।
ଏହା ସତ୍ତ୍ୱେ, ଫିନଷ୍ଟାଣ୍ଡ ପଛଘୁଞ୍ଚା ଦେଲେ ନାହିଁ। ତାଙ୍କର ଏହି ପରୀକ୍ଷଣ ଶୀଘ୍ର ସକାରାତ୍ମକ ଫଳ ଦେଲା ଏବଂ ତାଙ୍କ ଶ୍ରେଣୀ ବିଦ୍ୟାଳୟର ପଠନ ପ୍ରତିଯୋଗିତାରେ ବିଜୟୀ ହେଲା। ପିଲାମାନଙ୍କର ଏହି ଅଗ୍ରଗତି ଦେଖି, ୧୭ ଜଣ ଅଭିଭାବକ ଶିକ୍ଷକଙ୍କ ସମର୍ଥନରେ ଚିଠି ଲେଖିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିବାଦ ବଢ଼ିବାରୁ, ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରି ଦିଆଗଲା; କିନ୍ତୁ ପରବର୍ତ୍ତୀ ସମୟରେ ଏହି ମାମଲା ‘ନରୱେଜିଆନ କାଉନସିଲ ଫର୍ ଟିଚର୍ ଏଥିକ୍ସ’ (Norwegian Council for Teacher Ethics) ନିକଟରେ ଉପସ୍ଥାପିତ ହେଲା।
ଏହି ପରିଷଦ ଫିନଷ୍ଟାଣ୍ଡଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲା ଏବଂ କହିଲା ଯେ ସେ ପିଲାମାନଙ୍କର ସର୍ବୋତ୍ତମ ହିତ ପାଇଁ ହିଁ ଏପରି ପଦକ୍ଷେପ ନେଇଥିଲେ।
ଏହି ଘଟଣା ପରେ, ପିଲାମାନଙ୍କ ଶିକ୍ଷଣ ଉପରେ ସ୍କ୍ରିନର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଦେଶବ୍ୟାପୀ ବିତର୍କ ତୀବ୍ର ହୋଇଗଲା। ନରୱେର କମିଶନର ଏକ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପିଲାମାନେ ସ୍କ୍ରିନରୁ ପଢ଼ିବା ଅପେକ୍ଷା କାଗଜରୁ ପଢ଼ିବା ସମୟରେ ଲମ୍ବା ପାଠକୁ ଭଲ ଭାବରେ ବୁଝିପାରନ୍ତି।
ଶେଷରେ, ନଭେମ୍ବର 10, 2026 ରେ, ଓସ୍ଲୋ ପ୍ରଶାସନ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଙ୍କୁ ଏକ ପୃଥକ ଡିଜିଟାଲ ଡିଭାଇସ ଯୋଗାଇବା ବାଧ୍ୟତାମୂଳକ ନୀତିକୁ ଉଚ୍ଛେଦ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା। ସ୍କୁଲଗୁଡ଼ିକ ଏବେ ନିଜ ପାଇଁ ସ୍ଥିର କରିବେ ଯେ କେଉଁ ବିଷୟଗୁଡ଼ିକ ସ୍କ୍ରିନ ବ୍ୟବହାର ଆବଶ୍ୟକ କରେ।
ଏହା ବ୍ୟତୀତ, ନରୱେ – ଏକ ଦେଶ ଯାହା ଦୀର୍ଘ ସମୟ ଧରି ପ୍ରଯୁକ୍ତିବିଦ୍ୟାକୁ ସମର୍ଥନ କରିଆସିଛି – ଏବେ ପିଲାମାନଙ୍କ ମଧ୍ୟରେ ଏହାର ବ୍ୟବହାର ହ୍ରାସ କରିବାକୁ ଯୋଜନା କରୁଛି। ସରକାର ଏକ ବିଲ ମଧ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି ଯାହା 16 ବର୍ଷରୁ କମ ବୟସର ବ୍ୟକ୍ତିମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିବ।


